ଭୂବନେଶ୍ୱର, ୦୭/୦୬ : ସଂକଟ ସମୟ ଦେଇ ଗତି କରୁଥିବା ଦେଶବାସୀଙ୍କୁ ବହୁ ଆଶ୍ୱସ୍ତି ପ୍ରଦାନ କରିଛି ପ୍ରଧାନମନ୍ତ୍ରୀଙ୍କ ଆଜିର ନିଷ୍ପତି ବୋଲି କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ଐତିହାସିକ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି । ଶତାବ୍ଦୀର ସବୁଠୁ ବଡ ମହାମାରୀ କରୋନା ଲଢେଇରେ ଟିକା ହେଉଛି ସୁରକ୍ଷା କବଚ । ଆଜି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ଦେଶବାସୀଙ୍କୁ ମାଗଣା କୋଭିଡ ଟିକା ଯୋଗାଇ ଦେବାର ଘୋଷଣା କରିଛନ୍ତି । ଦେଶବାସୀଙ୍କୁ କୋଭିଡ୍ ଟୀକାକରଣର ସମସ୍ତ ଦାୟୀତ୍ୱ କେନ୍ଦ୍ର ସରକାର ବହନ କରିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଘୋଷଣା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଖୁସି ବ୍ୟକ୍ତ କରିଛନ୍ତି । କରୋନା ସଂକ୍ରମଣଜନିତ ଲକ୍ଡାଉନ / ସଟ୍ଡାଉନ କାରଣରୁ ବହୁ ଲୋକ ଜୀବନ ଜୀବିକା ହରାଇଛନ୍ତି । ଜୀବିକା ହରାଇଥିବା ୮୦ କୋଟି ଦେଶବାସୀଙ୍କ ପାଇଁ ଗରିବକଲ୍ୟାଣ ଅନ୍ନ ଯୋଜନାରେ ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ମାଗଣା ରାସନ୍ ସାମଗ୍ରୀ ଯୋଗାଇ ଦେବାର ଘୋଷଣା ମଧ୍ୟ ସଂକଟ ସମୟ ଦେଇ ଗତି କରୁଥିବା ଦେଶବାସୀଙ୍କୁ ବହୁ ଆଶ୍ୱସ୍ଥି ପ୍ରଦାନ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଶିଶୁମାନଙ୍କ ପାଇଁ ୨ଟି କୋଭିଡ୍ ଟିକାର ପରୀକ୍ଷା ଦେଶରେ ଜାରି ରହିଛି । ବହୁ ଶୀଘ୍ର ଶିଶୁମାନଙ୍କୁ ମଧ୍ୟ ମାଗଣାରେ ଟିକା ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଆଜିର ଦୃଢୋକ୍ତି ଦେଶବାସୀଙ୍କୁ ନିଶ୍ଚିତ ଭାବେ ଆଶ୍ୱସ୍ଥି ପ୍ରଦାନ କରିଛି ।