ଭୁବନେଶ୍ୱର,୨୩/୫: କରୋନା ମହାମାରୀ ସମୟରେ ବିଭିନ୍ନ ହସପିଟାଲକୁ ଟାଟା ଗ୍ରୁପ ଏବଂ ଟାଟା କନସଲଟାନସି ସର୍ଭିସ (ଟିସିଏସ) ପକ୍ଷରୁ ବିଭିନ୍ନ ମେଡିକାଲ ଉପକରଣ ସହାୟତା ପ୍ରଦାନ କରାଯାଉଛି । ସାମାଜିକ ଦାୟିତ୍ୱ ସ୍ୱରୂପ ଟାଟାପକ୍ଷରୁ ଏହା ବିଭିନ୍ନ ସମୟରେ କରାଯାଉଥିବାବେଳେ ଏହି ଅବସରରେ ଉତ୍କଳ ହସପିଟାଲକୁ ୪ଟି ପିବି-୫୬୦ ଭେଣ୍ଟିଲେଟର ପ୍ରଦାନ କରାଯାଇଛି । ଟାଟା ପକ୍ଷରୁ କୁହାଯାଇଛି ଏଭଳି ଅସମୟରେ ସାମାନ୍ୟ ସହଯୋଗ ନିଶ୍ଚୟ ରୋଗୀଙ୍କ ପାଇଁ ଜୀବନ ରକ୍ଷାକାରୀ କାର୍ଯ୍ୟରେ ଉପଯୋଗୀ ହୋଇପାରିବ । ଉତ୍କଳ ହସପିଟାଲର ସିଏଫଓ ଅରୁଣ ଖିଲାର ଏବଂ ତାଙ୍କ ଟିମ ଏସବୁ ଗ୍ରହଣ କରି କୋଭିଡ -୧୯ ମହାମାରୀ ସମୟରେ ଏହି ଭେଣ୍ଟିଲେଟରର ଗୁରୁତ୍ୱ ଥିବା କହିବା ସହ ଟିସିଏସର ପ୍ରତିନିଧି କାଳି ପ୍ରସାଦ ତ୍ରିପାଠୀ ଏଚଆର ମୁଖ୍ୟ ଏବଂ ବିମଳ କୁମାର ରାଉଳଙ୍କଠାରୁ ଗ୍ରହଣ କରିଛନ୍ତି । ଏଭଳି ବିପଦ ସମୟରେ ଟିସିଏସ ପକ୍ଷରୁ ଛୋଟ ଛୋଟ ସାହାଯ୍ୟ ମଧ୍ୟ ରୋଗୀଙ୍କ ଉପକାରରେ ଲାଗିବା ସହ ସାମାଜିକ ଦାୟିତ୍ୱ ନିର୍ବାହ କରିବାରେ ସହାୟକ ହୋଇପାରିବ ବୋଲି ସରିତା ମିଶ୍ର , ଟିସିଏସ ଭୁବନେଶ୍ୱର ଶାଖାର ମୁଖ୍ୟ କହିଛନ୍ତି । ଆଗାମୀ ଦିନରେ ଏଭଳି ସହାୟତା ଅନ୍ୟ ହସପିଟାଲକୁ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।