୪କି.ମି. ପାହାଡ ଚଢି ଗ୍ରାମବାସୀଙ୍କ ସମସ୍ୟା ବୁଝିଲେ ବିଡିଓ

ହରଭଙ୍ଗା : ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଗାଁକୁରାସ୍ତା, ପାନୀୟ ଜଳ, ବିଦ୍ୟୁତ ଆଲୋକ ଓ ଶିକ୍ଷା ପାଇଁ ଯୋଜନା ଆରମ୍ଭ କରିଛନ୍ତି । କିନ୍ତୁ ଯୋଜନା ବାଟରେ ରହିଯାଇଛି । ଯାହା ଫଳରେ ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ଅନେକ ଗାଁକୁ ରାସ୍ତା ନାହିଁ । ଯାହା ଫଳରେ ଲୋକମାନେ ପାହାଡ ଚଢି ପଞ୍ଚାୟତକୁ ଯାତୟତ କରୁଛନ୍ତି । ସେଭଳି ଏକ ଗାଁ ହେଉଛି ହରଭଙ୍ଗା ବ୍ଲକର ଛତ୍ରଙ୍ଗ ପଞ୍ଚାୟତର ସରାଡିଖୋଲ । ଏହି ଆଦିବାସୀ ଗାଁଟି ପାହଡ ଭିତରେ ଅବସ୍ଥିତ । ଏହି ଗ୍ରାମରେ ୧୦ ପରିବାରର ୮୦ଜଣ ଲୋକ ବସବାସ କରୁଛନ୍ତି । ଏମାନେ ପୁରୁଷାନୁକ୍ରମେ ଏଠାରେ ବସବାସ କରୁଛନ୍ତି । ଏହି ଗ୍ରାମକୁ ଯିବାକୁ ହେଲେ ପାଡା ଚଢି ଯିବାକୁ ହୁଏ ।

ଆଜି ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା ଛତ୍ରଙ୍ଗ ପଞ୍ଚାୟତ ଗସ୍ତ କରି ରାସ୍ତାରେ ଗାଡି ରଖି ୪ କି.ମି. ପାହାଡ ଚଢି ଦୁର୍ଗମ ସରଡାଖୋଲ ଗ୍ରାମକୁ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝି ଫେରିଛନ୍ତି । ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି । ବିଡିଓ ଶ୍ରୀ ବେହେରା ସେଠାରେ ପହଞ୍ଚି ଲୋକଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ବୁଝିଥିଲେ । ଏହି ଅବସରରେ ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥା ସଂପର୍କରେ ମଧ୍ୟ ସେ ପଚାରି ବୁଝିଥିଲେ । ସରାଡିଖୋଲ ଗ୍ରାମର ସର୍ବଶ୍ରୀ ସୁଦର୍ଶନ ମଲ୍ଲିକ, ଉଗ୍ରେସନ ମଲ୍ଲିକ, ରେବା ବାଘ ସମେତ ଗ୍ରାମବାସୀ ବିଡିଓଙ୍କ ସହିତ ବିଭିନ୍ନ ସମସ୍ୟା ଯଥା-ରାସ୍ତା, ଅଧପନ୍ତରିଆ ଅବସ୍ଥାରେ ଗ୍ରାମୀଣ ଜ୍ୟୋତି ଯୋଜନାରେ କେବଳ ଖୁଣ୍ଟ ପୋତାଯାଇଛି, ଟ୍ରାନ୍ସଫର୍ମ ଓ ବିଦ୍ୟୁତ ତାର ଟଣା ଯାଇନାହିଁ । ଗ୍ରାମବାସୀମାନେ ଏହି ସବୁ ଅସୁବିଧା ବିଷୟରେ ବିଡିଓଙ୍କୁ ଜଣାଇଥିଲେ । ଗ୍ରାମକୁ ସବୁଦିନିଆ ପକ୍କା ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବିଡିଓଙ୍କୁ ଅନୁରୋଧ କରିଥିଲେ । ବିଡିଓଙ୍କ ଗସ୍ତ ବେଳେ ସ୍ଥାନୀୟ ଛତ୍ରଙ୍ଗ ପଞ୍ଚାୟତର ସରପଞ୍ଚ ଶୁଶିଳ ପ୍ରଧାନ ଉପସ୍ଥିତ ଥିଲେ ।

Comments (0)
Add Comment