ବେଲପଡାରେ ଡବଲ ମର୍ଡର, ୮ ଗୁରୁତର

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ମୁଣ୍ଡାଗାଁରେ ଏକ ଦୁଃଖଦ ଘଟଣା ଘଟିଛି । ଟ୍ରାକ୍ଟର ଭଡା ଟଙ୍କା ନେଣାଦେଣାକୁ ନେଇ ଡବଲ ମର୍ଡର ଘଟିଛି । ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡରୁ ହଣାକଟାରେ ଚାଲିଗଲା ବାପପୁଅଙ୍କ ଦୁଇଟି ଅମୂଲ୍ୟ ଜୀବନ । ମୃତକ ମୋତିଲାଳ ବନଛୋର(୫୮) ଓ ତାଙ୍କ ପୁଅ ଚନ୍ଦ୍ରମଣି ବନଛୋର (୩୦) । ଏଥିରେ ଉଭୟ ପକ୍ଷର ଆହତମାନଙ୍କୁ ବେଲପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଫକିର ଓ ବାଲ୍ମିକୀର ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗାଁରେ ଉତ୍ତେଜନା ଲାଗି ରହିବାରୁ ପାଟଣାଗଡ ଏସଡିପିଓ ସୁରେଶ ନାୟକ ଓ ବେଲପଡା ଥାନା ଅଧିକାରୀ ସଚିଦାନନ୍ଦ ବରିହା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।


ପୁଲିସ ସୂତ୍ରରୁ ପ୍ରକାଶ ଯେ, ବାଲ୍ମିକୀ ରାଉତଙ୍କ ପୁଅ ଫକିର ରାଉତ ଟ୍ରାକ୍ଟର ଡ୍ରାଇଭର ଗତ କିଛି ଦିନ ତଳେ ଟ୍ରାକ୍ଟର ଲିଜ୍ ସୂତ୍ରରେ ଆଣିଥିଲା । ଫକିର ସେହିଗାଁର ଟ୍ରାକ୍ଟର ଚଲାଉଥିଲା । ଟ୍ରାକ୍ଟର ମାଲିକ ମୋତିଲାଳ କୁଆଡେ ତାଙ୍କୁ ୧୦ ମାସର ଦରମା ଦେଇନଥିଲା । ଏହାକୁ ନେଇ ମୋତିଲାଲ ଓ ଫକିର ମଧ୍ୟରେ ପାଟିତୁଣ୍ଡ ହେଉଥିଲା । କିଛି ଦିନ ପୂର୍ବରୁ ମୋତିଲାଲ ତାଙ୍କୁ କିଛି ଟଙ୍କା ଦେଇଥିଲା । ଏଣୁ ଅବଶିଷ୍ଟ ଟଙ୍କାକୁ ନେଇ ବିବାଦ ଲାଗି ରହିଥିଲା । ଉକ୍ତ ଘଟଣାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ଉଭୟ ପକ୍ଷ ମଧ୍ୟରେ ମାରଣାସ୍ତ୍ରଧରୀ ଗାଁ ମୁଣ୍ଡରେ ମୁହାଁମୁହିଁ ହୋଇଥିଲେ । ଫକିରର ଭାଇ ମଙ୍ଗଲୁ ଏକ ମାରଣାସ୍ତ୍ରରେ ମୋତିଲାଲକୁ ଆତର୍କିତ ଭାବେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ମୋତିଲାଲ ଟଳି ପଡିଥିଲା ହେଁ ସେଠାରେ ତାର ମୃତ୍ୟୁ ହୋଇଥିଲା । ପରେ ମଙ୍ଗଲୁ ଚନ୍ଦ୍ରମଣିକୁ ବି ଆକ୍ରମଣ କରିଥିଲା । ଅଗ୍ନିଶମ ବିଭାଗ ସମସ୍ତ ଆହତମାନଙ୍କୁ ବେଲପଡା ଡାକ୍ତରଖାନାକୁ ନେଇଥିଲେ ସେଠାରେ ଡାକ୍ତର ଚନ୍ଦ୍ରମଣିକୁ ମଧ୍ୟ ମୃତ ଘୋଷଣା କରିଥିଲେ ।

Comments (0)
Add Comment