ବଲାଙ୍ଗୀର : ରାଜ୍ୟରେ ଜୁଲାଇ ମାସରେ କରୋନା ସଂକ୍ରମଣ ହାର ଦୃତ ଗତିରେ ବଢୁଛି । ଧୀର ମନ୍ଥର ଗତିରେ ବଲାଙ୍ଗୀରରେ ମଧ୍ୟ କାୟା ବିସ୍ତାର କରୁଛି । ନୂଆ ନୂଆ ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ଉଭୟ ପ୍ରଶାସନ ଓ ଜନ ସାଧାରଣଙ୍କ ଚିନ୍ତା ବଢାଉଛି ।ଗତ ୨୪ଘଣ୍ଟାରେ ସୂଚନା ଅନୁସାରେ ୫ଜଣ ପୁରୁଷ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣ ସ୍ଥାନୀୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ୨ ଜଣ ଯଥାକ୍ରମେ ମହାରାଷ୍ଟ୍ର ଓ ସିକନ୍ଦରାବାଦ ଫେରନ୍ତା । ଉଭୟେ ଘରେ ସଙ୍ଗରୋଧ ଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ତେବେ ବଙ୍ଗେମୁଣ୍ଡା ପୁତୁଲାଟେଲ ସଂକ୍ରମିତ ୧୪ମେ ରୁ ୨୮ମେ କ୍ୱାରେଣ୍ଟାଇନ ଥିଲେ ଓ ପରେ ଘରେ ନିସଙ୍ଗ ଅଛନ୍ତି । ତେବେ ପାଖାପାଖି ଫେରିବାର ୨ମାସ ପରେ ଚିହ୍ନଟ ହେବା ବଡ ପ୍ରଶ୍ନ । ସ୍ଥାନୀୟ ସଂକ୍ରମଣ ନୁହେଁ ତ ? ସେହିପରି ବଲାଙ୍ଗୀର ସହର ଉପକଣ୍ଠ ବରକାନୀରେ ସ୍ଥାନୀୟ ସଂସ୍ପର୍ଶରେ ପହଞ୍ଚିଛି ଭୁତାଣୁ । ଅନ୍ୟ ଜଣେ କଣ୍ଟେନମେଣ୍ଟ ଜୋନ ତାଲପାଲିପଡା ବାସିନ୍ଦା । ଏ ଯାଏ ୫କୁ ମିଶାଇ ଜିଲ୍ଲାରେ ମୋଟ ୨୯୧ଜଣ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୨୫୬ସୁସ୍ଥ ହୋଇଥିବା ବେଳେ ୩୫ ଆକ୍ଟିଭ ଅଛନ୍ତି ।