ବଲାଙ୍ଗୀର,୫/୫- ଲକ୍ ଡାଉନ୍ -୨ର ପ୍ରଥମ ଦିନରେ ଅଫିସର ରାଜ୍ କୁ ନେଇ ଅସନ୍ତୋଷ ବ୍ୟବସାୟୀଙ୍କ ହଙ୍ଗାମା କରିଛନ୍ତି । ବଲାଙ୍ଗୀର ଡେଲି ମାର୍କେଟ ଜିଲ୍ଲା ପ୍ରଶାସନର କଟକଣାକୁ ବିରୋଧ କରି ପରିବା ବିକାଳି ରାସ୍ତାରେ ପନିପରିବା ଫୋପାଡିଛନ୍ତି । ଅଭିଯୋଗ ଅନୁସାରେ, ଆଗୁଆ ସୂଚନା ନଦେଇ ଆଜିହିଁ କାର୍ଯ୍ୟରେ ଯୋଗଦେଇଥିବା ନୂତନ ଉପ-ଜିଲ୍ଲାପାଳ ସଂପୂର୍ଣ୍ଣ ଡେଲି ମାର୍କେଟ ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି । ମାତ୍ର ୨ଘଣ୍ଟା ପାଇଁ ଆଜି ଅନୁମତି ଦେବାକୁ ବ୍ୟବସାୟୀଙ୍କ ଅନୁରୋଧକୁ ମଧ୍ୟ ସେ ଭୃକ୍ଷେପ କରିନଥିଲେ । ତେଣୁ ପ୍ରଶାସନର ହିଟଲରି ନିଷ୍ପତ୍ତିକୁ ବିରୋଧକରି ବ୍ୟବସାୟୀମାନେ ପ୍ରତିବାଦ କରିଥିଲେ । ଏଠାରେ ସୂଚାଇ ଦିଆଯାଏ ଯେ, ପୂର୍ବରୁ ମାର୍କେଟ ଏରିଆକୁ ବାଉଁଶ ବେରିକେଟ କରି ଯାନବାହନ ନିଷିଦ୍ଧ କରାଯାଇଛି । ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ୱ ଦେଇ ଲକ୍ ଡାଉନ୍ ୨ କଟକଣା ନିର୍ଦ୍ଦେଶାବଳୀ ସରକାର ଜାରି କରିଛନ୍ତି । ସେ ଅନୁସାରେ ପରିବା ଦୋକାନ ସକାଳ ୬ଟାରୁ ୧୨ଟା ଯାଏ ଖୋଲା ଯାଇପାରିବ । କିନ୍ତୁ ଉପ ଜିଲ୍ଲାପାଳଙ୍କ ପଦକ୍ଷେପକୁ ଆଇନ୍ ଭିତରେ କି ବୋଲି ପ୍ରଶ୍ନ ଉଠୁଛି । ପ୍ରଶାସନର ଦବଙ୍ଗଗିରିକୁ ନେଇ ଚର୍ଚ୍ଚା ଜୋର ଧରିଛି ।