ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମରୁ ଫେରିଥିବା ଯୁବକ ଯୁବତୀଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୩/୨:- କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରଣାଳୟ କଳାହାଣ୍ଡି ୬୪ ବାଟାଲିୟନ, ସିଆରପିଏଫର ମିଳିତ ଉଦ୍ୟମକ୍ରମେ ୧୪ ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ଯୋଗ ଦେଇଥିବା ୨୦ଜଣ ଯୁବକ ଯୁବତୀଙ୍କୁ ଜିଲ୍ଲାପାଳଙ୍କ ସଦଭାବନା ଗୃହ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହି ଦଳ କେରଳ ରାଜ୍ୟର କୋଚି ଠାରେ ଗତ ୨୩ ତାରିଖ ରୁ ୨୯ ଜାନୁଆରୀ ପର୍ଯ୍ୟନ୍ତ କେରଳ ରାଜ୍ୟର ବିଭିନ୍ନ ଐତିିହାସିକ ସ୍ଥଳ, ପର୍ଯ୍ୟଟନ ସ୍ଥଳ ବୁଲି ଦେଖିବା ସହ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସ୍ଥାନୀୟ ଲୋକ ସଂସ୍କୃତି ଉପରେ ଆଲୋଚନା କରିବା ଏବଂ ନିଜ ରାଜ୍ୟର କଳା ସଂସ୍କୃତି ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଂସ୍କୃତି କାର୍ଯ୍ୟକ୍ରମରେ ଯୋଗଦାନ କରି ତୃତୀୟ ସ୍ଥାନ ଅଧିକାର କରିଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ଶୁଭେଚ୍ଛା ଜଣେଇଥିଲେ । ଆଜିର ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡି ସମସ୍ତ ଶିବିରାର୍ଥୀଙ୍କୁ ସ୍ୱାଗତ ଜଣେଇବା ସହ କେରଳ ଠାରେ ପାଇଥିବା ନିଜନିଜ ଅଭିଜ୍ଞତାକୁ ସମସ୍ତଙ୍କୁ ଜଣେଇବା ପାଇଁ କହିଥିଲେ । ସମସ୍ତ ଶିବିରାର୍ଥୀ ମଧ୍ୟ ଉତ୍ସାହିତ ହୋଇ ସେଠାରେ ପାଇଥିବା ଅଭିଜ୍ଞତା ସମ୍ପର୍କରେ ସମସ୍ତଙ୍କୁ ଜଣେଇଥିଲେ । ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ସୁଶାନ୍ତ କୁମାର ପଟେଲ, ସିଆରପିଏଫ ୬୪ ବାଟାଲିୟନ ପି.କେ. ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା, ୬୪ ବାଟାଲିୟନ ଏସଆଇ ମନୋରଞ୍ଜନ ମହାକୁର, ଏନଆଇକେ ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ ମେହେର, ଲେଖାପାଳ ଦୂତିଆ ବନଛୋର ପ୍ରମୁଖ ଉପସ୍ଥିତ ରହି ଶିବିରାର୍ଥୀଙ୍କୁ ସ୍ୱାଗତ ଜଣେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟେଲ ଶିବିରାର୍ଥୀ ମାନଙ୍କୁ ସେଠାକାର ଅଭିଜ୍ଞତା ବିଷୟରେ ସମସ୍ତଙ୍କୁ ଜଣେଇବା ସହ ଭବିଷ୍ୟତରେ ଜଣେ ଭଲ ନାଗରିକ ହେବାସହ ସବୁବେଳେ ସମାଜ ପ୍ରତି ଉତ୍ସର୍ଗୀକୃତ ରହିବାକୁ ପରାମର୍ଶ ଦେଇଥିଲେ । ସେହିପରି ଆଦିବାସୀ ମାନଙ୍କ କଳା ସଂସ୍କୃତି ଓ ଲୋକ ପରମ୍ପରାକୁ ବଜାୟ ରଖିବା ସହ ସମସ୍ତଙ୍କୁ ସାହାଯ୍ୟ କରିବାପାଇଁ ଜିଲ୍ଲାପାଳ ପି. ଅନ୍ୱେଷା ରେଡି ପରାମର୍ଶ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ତୃତୀୟ ସ୍ଥାନ ପାଇ ରାଜ୍ୟକୁ ଗୌରବାନ୍ୱିତ କରିଥିବାରୁ ଶୁଭେଚ୍ଛା ସହ ସମ୍ବର୍ଦ୍ଧନା ଜଣେଇଥିଲେ । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର ସଂଗଠନର ସମସ୍ତ ସ୍ୱେଚ୍ଛାସେବୀ ଅଭିଷେକ ବେହେରା, ଯଶୋବନ୍ତ ରଣା, ଶମ୍ଭୁ ବିଶି, ଚୁଳମଣୀ ମାଝୀ, ଦୁଲବ ମାଝୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Comments (0)
Add Comment