ବିଧବାଙ୍କ ଅନାହାର ମୃତ୍ୟୁ ଅଭିଯୋଗ

ସମ୍ବଲପୁର,: ସ୍ଥାନୀୟ ସାକ୍ଷୀପଡା ନିବାସୀ ୪୫ବର୍ଷୀୟ ଜଣେ ବିଧବାଙ୍କ ଭୋକଉପାସରେ ୨୫ଦିନ ସଂଘର୍ଷପରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ମୁତାବକ ସାକ୍ଷୀପଡା ଅଞ୍ଚଳର ସରଲାକାନି ଠାରେ ଜଣେ ଗରିବ ମହିଳା ଯିଏ କି ଖାଇବାକୁ ନପାଇ ବହୁଦିନରୁ ରୋଗାଗ୍ରସ୍ତ ଥିଲେ ଗତ ଦୁଇଦିନ ତଳେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ଶବ ଆସିଲାପରେ ପଡାବାସୀ କେହି ଛୁଇଁବାକୁ ରାଜି ନହେବାରୁ ସ୍ଥାନୀୟ ସ୍ୱେଚ୍ଛାସେବୀ ଦାହ ସଂସ୍କାର କରିଥିଲେ । ଘଟଣାସ୍ଥଳରୁ ପ୍ରାପ୍ତ ସୂଚନା ଅନୁସାରେ ମୃତକ ମହିଳା ପ୍ରାୟ ୨୫ଦିନ ହେଲା ରୋଗାଗ୍ରସ୍ତ ଥିଲେ । ପ୍ରଥମେ ସମ୍ବଲପୁର ସଦର ଡାକ୍ତରଖାନା ଓ ପରେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଥିଲେ । ଦୁଇଦିନ ପୂର୍ବରୁ ରେଙ୍ଗାଲି ବିଧାୟକ ନାଉରି ନାଏକ ଓ ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲ ବୁର୍ଲାଯାଇ ରୋଗୀ ବିଷୟରେ ପଚାରି ବୁଝିଥିଲେ ଓ ଚିକିତ୍ସା ବ୍ୟବସ୍ଥା ପାଇଁ ଉପସ୍ଥିତ ଡାକ୍ତର ଓ ନର୍ସଙ୍କ ସହ ଆଲୋଚନା କରିଥିଲେ । ମୃତ ମହିଳାଙ୍କର ୯ବର୍ଷର କନ୍ୟା ଓ ୬ବର୍ଷର ପୁତ୍ର ଥିବା ଜଣାପଡିଛି । ତାଙ୍କର ନିକଟ ସଂପର୍କୀୟଙ୍କ ପାଖରେ ଛୁଆ ଦିଜଣ ଥିବାବେଳେ ପ୍ରଶାସନକୁ ଏନେଇ ଅବଗତ କରାଯିବାରୁ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ପ୍ରଶାସନ ପକ୍ଷରୁ ପ୍ରତିଦିନ ହଜାରହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲାରାସନ ଦିଆଯାଉଛି ବୋଲି ଘୋଷଣା ସତ୍ତ୍ୱେ ମହାନଗର ନିଗମ ଅଞ୍ଚଳରେ ଏପରି ଅଭାବନୀୟ ଘଟଣା ନିଶ୍ଚିତ ରୂପେ ଏକ ସଭ୍ୟ ସମାଜ ପାଇଁ ଚିନ୍ତାର ବିଷୟ । ଏଠାରେ ପ୍ରଶ୍ନ ଉଠୁଛି ଯେ ଯଦି ନିଗମ ପକ୍ଷରୁ ଘରକୁ ଘର ଯାଇ ସର୍ଭେ କରାଯାଉଛି ତାହାଲେ ଏହା କିପରି ତିନିସପ୍ତାହ ଯାଏଁ ଜଣାପଡିଲା ନାହିଁ ।

Comments (0)
Add Comment