ବୌଦ୍ଧ : ଗତ ବିଳମ୍ବିତ ରାତିରେ ବଉଦ ସହର ବାପୁଜୀ ନଗର ନିକଟରେ ରାସ୍ତା ପାର୍ଶ୍ବ ଏକ ବିଦ୍ୟୁତ ଖମ୍ବକୁ ବାଇକ ଧକ୍କା ଦେବାରୁ ବାଇକ ଆରୋହୀ ମୃତ୍ୟୁବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବିଦ୍ୟୁତ୍ ବିଭାଗରେ କାମ କରୁଥିବା ବୌଦ୍ଧ ଥାନା ତେଲିବନ୍ଧ ଗ୍ରାମ ପଂଚାୟତର କାଶଲପୁର୍ ଗ୍ରାମର କପିଳ କର୍ଣ୍ଣଙ୍କ ପୁଅ ପ୍ରିୟବ୍ରତ (25 ବର୍ଷ ) ଏକ ପଲସର୍ ବାଇକ ଯୋଗେ ବୁଟୁପାଲିରୁ ଇଲେକ୍ଟ୍ରିକ ଅଫିସ ଅଭିମୁଖେ ଯାଉଥିବା ବେଳେ ବାପୁଜୀ ନଗର ନିକଟସ୍ଥ ଶଂଖଚୁଡ ବନ୍ଧ ପାଖରେ ଥିବା ବେଲଡିଂ ଦୋକାନ ନିକଟ ଗୋଟିଏ ବିଦ୍ୟୁତ୍ ଖମ୍ବରେ ପଲସର୍ ଧକ୍କା ହୋଇଥିଲା |
ବିଦ୍ୟୁତ୍ ଖମ୍ବରେ ପଲସର୍ ସାମାନ୍ୟ ଧକ୍କା ହେବାପରେ ଭାରସାମ୍ୟ ହରାଇ ନିକଟରେ ରଖା ଯାଇଥିବା ପଲ୍ୟୁସନ୍ ଟେଷ୍ଟ ବୋଲେରୋକୁ ଧକ୍କା ଦେଇ ଥିଲା | ଦୁର୍ଘଟଣା ରାତି ପ୍ରାୟ 12 ଘଣ୍ଟା ସମୟରେ ହୋଇଥିବାରୁ ରାସ୍ତା ଶୁନଶାନ୍ ଥିଲା | କୌଣସି ସୂତ୍ରରୁ ଖବର୍ ପାଇ ବୌଦ୍ଧ ଥାନାର ପିସି ଆର୍ ଗାଡି ଘଟଣାସ୍ଥଳରୁ ଗୁରୁତର ବାଇକ ଚାଳକଙ୍କୁ ଉଦ୍ଧାର କରି ବୌଦ୍ଧ ଡାକ୍ତରଖାନାକୁ ନେଇଥିଲା l ସେଠାରେ ଡାକ୍ତର ପ୍ରିୟବ୍ରତଙ୍କୁ ମୃତ ଘୋଷଣା କରିଥିଲେ | ଆଜି ସକାଳେ ତାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି l ପ୍ରିୟ ବ୍ରତଙ୍କ ଦୁଃଖଦ ମୃତ୍ୟୁରେ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟ କରୁଥିବା ସମସ୍ତ ସହକର୍ମୀ, ବନ୍ଧୁବର୍ଗ ମ୍ରିୟମାଣ ହୋଇ ପଡିଥିବା ବେଳେ ତେଲିବନ୍ଧ ଅଂଚଳରେ ଶୋକର ଛାୟା ଖେଳି ଯାଇଛି l