ଭାରତୀ ସମାଜ ପକ୍ଷରୁ ଲଦ୍ଦାଖ ଫେରନ୍ତା ବାଇକ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର: ସମ୍ବଲପୁରର ଇତିହାସ ଦୁଇହଜାର ବର୍ଷ ପୁରଣା । ଦ୍ୱିତୀୟ ଶତାବ୍ଦୀରେ ଏହି ଅଞ୍ଚଳରେ ସଭ୍ୟତା ଉନ୍ନତ ରହିଥିବା ନେଇ ପରିବ୍ରାଜକ ମାନେ ଲେଖିଯାଇଛନ୍ତି । ଟଲେମି ଦ୍ୱିତୀୟ ଶତାବ୍ଦୀରେ ସମ୍ବଲପୁରକୁ ସମ୍ବଲକ ନାମରେ ମହାନଦୀ କୂଳରେ ରହିଥିବା ବର୍ଣ୍ଣନା କରିଥିବା ବେଲେ ହବେଂଗସାଂଗ ମଧ୍ୟ ସମ୍ବଲ ଭାବେ ସମ୍ବଲପୁରକୁ ବର୍ଣ୍ଣନା କରିଛନ୍ତି । ବୌଦ୍ଧ ଧର୍ମ ଏବଂ ତନ୍ତ୍ର କ୍ଷେତ୍ର ଭାବରେ ସମ୍ବଲପୁରର ଇତିହାସରେ ବେଶ ଖ୍ୟାତି ରହିଥିଲା । ଭାରତୀ ସମାଜ ପକ୍ଷରୁ ସମ୍ବଲପୁରର ଇତିହାସର ଅଧ୍ୟୟନ ପାଇଁ ବିଗତ କିଛି ବର୍ଷ ହେବ ଉଦ୍ୟମ କରାଯାଇ ଆସୁଛି । ଏହି କ୍ରମରେ ସମ୍ବଲପୁରରୁ ତିବ୍ଦତ ଏବଂ ହିମାଚଳ ପ୍ରଦେଶର କିଛି ବୌଦ୍ଧ ପୀଠ ଗୁଡିକ ସହ ସମ୍ପର୍କ ଯୋଡିବା ପାଇଁ ଗତ ଜୁଲାଇ ୨୫ ତାରିଖରୁ ଦୁଇଜଣିଆ ଟିମ ବାଇକରେ ଲଦ୍ଦାଖ ପର୍ଯ୍ୟନ୍ତ ଯାତ୍ରାକରି ଫେରିଛନ୍ତି । ଭାରତୀ ସମାଜ ପକ୍ଷରୁ ଭେଂକଟ ରମଣ ଦୋରା ଏବଂ ରଜତ ବେହେରା ଏହି ଅଭିଯାନରେ ସାମିଲ ହୋଇଥିଲେ । ସେମାନେ ସମ୍ବଲପୁର ଫେରିବା ପରେ ଚେରୁଆପଡାଠାରେ ଉଭୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ତେବେ ଏହି ଅଭିଯାନ ମାଧ୍ୟମରେ ଲଦ୍ଦାଖ ଏବଂ ହିମାଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ଥିବା ବୌଦ୍ଧପୀଠଗୁଡିକ ସହ ସମ୍ପର୍କ ସ୍ଥାପନ କରିବା ପାଇଁ ଉଦ୍ୟମ କରାଯାଇଥିଲା । ଲଦ୍ଦାଖ ଏବଂ ହିମଳୟର ତରାଇ ଅଞ୍ଚଳରେ ଗୁରୁ ପଦ୍ମସଂଭବଙ୍କୁ ବୌଦ୍ଧ ଧର୍ମାବଲମ୍ବୀମାନେ ଦ୍ୱିତୀୟ ବୁଦ୍ଧ ଏବଂ ଧର୍ମଗୁରୁ ଭାବରେ ମାନ୍ୟତା ଦେଉଥିବା ଉଭୟେ ଜଣାଇଥିଲେ । ସମ୍ବଲପୁର ଯାହାକି ପୁରାତନ ସମ୍ବଲକ ଏବଂ ସମ୍ବଲ ବୋଲି ପ୍ରମାଣିତ, ତେବେ ଗୁରୁ ପଦ୍ମସଂଭବଙ୍କ ଜନ୍ମସ୍ଥାନ ଭାବରେ ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କ ପାଖରେ ଅଧିକ ତଥ୍ୟ ପହଞ୍ଚି ପାରିନଥିବା ଉଭୟେ ଜାଣିବାକୁ ପାଇଥିଲେ । ବିଭିନ୍ନ ସ୍ଥାନରେ ବୌଦ୍ଧ ଧର୍ମାବଲମ୍ବୀ ମାନଙ୍କ ସହ ଆଲୋଚନା କରିବା ସମୟରେ ସେମାନେ ଗୁରୁ ପଦ୍ମସଂଭବଙ୍କୁ ଯଥେଷ୍ଟ ସମ୍ମାନ ଦେଉଥିଲେ ମଧ୍ୟ ତାଙ୍କର ଶୈଶବ ବିଷୟରେ ଅଧିକ ଜାଣିନାହାନ୍ତି । ସେ ନାଳନ୍ଦାରେ ପାଠ ପଢିବା ବିଷୟରେ ପରବର୍ତ୍ତୀ ଜୀବନ ଅଧିକ ଆଲୋଚିତ ହୋଇ ଆସୁଛି । ତେବେ ବାଇକ ଯାତ୍ରୀଙ୍କୁ ମିଳିିଥିବା ତଥ୍ୟକୁ ଆଧାର କରି ଭାରତୀ ସମାଜ ତରଫରୁ ପଦ୍ମସଂଭବଙ୍କ ଜନ୍ମସ୍ଥାନ ସମ୍ବଲପୁର ବିଷୟରେ ଅଧିକ ତଥ୍ୟ ସଂଗ୍ରହ ଏବଂ ପ୍ରଚାର ପ୍ରସାର ପାଇଁ ଖୁବ ଶୀଘ୍ର ଏକ ସେମିନାର କରାଯିବା ପାଇଁ ସମ୍ବର୍ଦ୍ଧନା ସଭାରେ ମତ ପ୍ରକାଶ ପାଇଥିଲା । ଏହା ସହ ତନ୍ତ୍ରଯାନର ମହାନ ସାଧିକା ଲକ୍ଷ୍ମୀକରାଙ୍କ ସହ ସ୍ଥାନୀୟ ଲକ୍ଷ୍ମୀ ଡୁଂଗରୀର ସମ୍ପର୍କ ବିଷୟରେ ମଧ୍ୟ ସ୍ଥାନୀୟ ଅଞ୍ଚଳରୁ ତଥ୍ୟ ସଂଗ୍ରହ ପାଇଁ ଉଦ୍ୟମ କରିବାକୁ ବୈଠକରେ ସ୍ଥିର ହୋଇଥିଲା । ସମ୍ବଲପୁରର ଗୌରବମୟ ଇତିହାସର ପ୍ରତିକୃତି ଲକ୍ଷ୍ମୀ ଡୁଂଗରୀଠାରେ ନିର୍ମାଣ କରିବା ପାଇଁ ଭାରତୀ ସମାଜ ଲକ୍ଷ ରଖିଛି । ଏହି ସମ୍ବର୍ଦ୍ଧନା ସଭାରେ ଭାରତୀ ସମାଜର ସଞ୍ଚାଳକ ଭବାନୀଶ ଭୋଇ, ମହାସଚିବ ଦେବୀପ୍ରସାଦ ଭୋଇ ଏବଂ କୋଷାଧ୍ୟକ୍ଷ ସୁବୋଧ ଦୋରା, ସମ୍ବଲପୁର ସଂଯୋଜକ କାର୍ତ୍ତିକ ପ୍ରସାଦ ବହିଦାର, ଗବେଷକ କୁଲମଣି ପୁଟେଲ, ପଶ୍ଚିମାଞ୍ଚଲ ଏକତା ମଞ୍ଚର ଯୁବ ସଂଯୋଜକ ଦେବାଶିଷ ବେହେରା, ସାଂସ୍କୃତିକ ସଂଯୋଜକ ରାଜେଶ ସ୍ୱାଇଁ, ସମ୍ବଲପୁର ଶାଖା ସଂଯୋଜକ ରାହୁଲ ଗୁପ୍ତା ପ୍ରମୁଖ ସାମିଲ ହୋଇଥିଲେ ।

Comments (0)
Add Comment