ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ମହିଳା ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ

ଦଶପଲ୍ଲା : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ମହିଳା ମୋର୍ଚ୍ଚା ତରଫରୁ ତୈଳ ଦର, ଗ୍ୟାସ ଦର ଓ ଅତ୍ୟାବଶ୍ୟକ ସାମଗ୍ରୀ ଦରଦାମ ବୃଦ୍ଧି ପ୍ରତିବାଦ ଜଣାଇଥିଲେ । ଏହି ଅବସରରେ ଦଶପଲ୍ଲା ଡାକ୍ତରଖାନା ଛକରୁ ଏକ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରା ଦଶପଲ୍ଲା ବ୍ଲକ୍‌ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । କେନ୍ଦ୍ର ସରକାରଙ୍କ ଭୁଲ ଆର୍ଥିକ ନୀତିଯୋଗୁଁ ବିଭିନ୍ନ ସାମଗ୍ରୀ ଦରଦାମ ବଢିଚାଲିଛି ଯାହା ଫଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ନୟାଗଡ଼ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଅଭିଯୋଗ କରାଯାଇଥିଲା । ଏହି ପ୍ରତିବାଦ ସଭାରେ ଦଶପଲ୍ଲା ବ୍ଲକ୍‌ ଅଧ୍ୟକ୍ଷା ସୁନନ୍ଦା ସାହୁ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷା ବବିତା ସାହୁଙ୍କ ସମେତ ନୂଆଗାଁ ଓ ଗଣିଆ ବ୍ଲକ୍‌ ବିଜୁ ମହିଳା ମୋର୍ଚ୍ଚା ର ସଭାନେତ୍ରୀ ଯୋଗଦେଇ କେନ୍ଦ୍ର ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ଏହି ପ୍ରତିବାଦ ଶୋଭାଯାତ୍ରାରେ ଦଶପଲ୍ଲା, ଗଣିଆ ଓ ନୂଆଗାଁ ଅଂଚଳର ପ୍ରାୟ ୫ ହଜାରୁ ଅଧିକ ମହିଳା ଯୋଗ ଦେଇଥିବାବେଳେ ଦଶପଲ୍ଲା ବ୍ଲକ୍‌ ପୂର୍ବତନ ଅଧ୍ୟକ୍ଷ ତଥା ଲଢୁଆ ନେତା ଉପେନ୍ଦ୍ର କୁମାର ସାହୁ, ଉପାଧ୍ୟକ୍ଷ ବସନ୍ତ କୁମାର ସାହୁ, ସାଂସଦ ପ୍ରତିନିଧି ପ୍ରଶନ୍ନ କୁମାର ସାହୁଙ୍କ ସମେତ ବହୁ ବିଜୁ ଜନତା ଦଳ କର୍ମୀ ଯୋଗ ଦେଇଥିଲେ ।

Comments (0)
Add Comment