ଭୁବନେଶ୍ବର:ଆସନ୍ତାକାଲି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ। ଏହା ପୂର୍ବରୁ ଦଳର ବରିଷ୍ଠ ନେତା ଭୂପିନ୍ଦର ସିଂ ବିସ୍ଫୋରକ ବୟାନ ଦେଇଛନ୍ତି। ଅବଶ୍ୟ ଆଗରୁ ବି ସେ କେତେ ଥର ବିଜେଡି ସଂପର୍କରେ ବିସ୍ଫୋରକ ବୟାନ ଦେଇ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ଏଥର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଭୂପିନ୍ଦର ସିଂ ସ୍ପଷ୍ଟ ଭାବରେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ନବୀନ ପଟ୍ଟନାୟକଙ୍କୁ ଛାଡ଼ି କୌଣସି ନୂଆ ଲୋକଙ୍କୁ ଦଳର ନେତୃତ୍ୱ ଦିଆଯାଏ, ତେବେ ବିଜେଡି ଭାଗ ଭାଗ ହୋଇଯିବ। କାରଣ ନବୀନ ପଟ୍ଟନାୟକଙ୍କ ବିନା ବିଜେଡିର କୌଣସି ଅସ୍ତିତ୍ୱ ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ତାଙ୍କ ବିନା ଦଳ ତିଷ୍ଠି ରହିବା ଅସମ୍ଭବ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଦଳରେ କୌଣସି ନୂଆ ଚେହେରାକୁ ନେତୃତ୍ୱକୁ ଆଣିବା ପାଇଁ ଏହା ଠିକ୍ ସମୟ ନୁହେଁ । ଦଳ ଭିତରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀ ନୂଆ ଲୋକଙ୍କୁ ଆଣିବାକୁ ଚେଷ୍ଟା କରୁଛନ୍ତି, ଯାହା ବିଷୟରେ ନବୀନ ପଟ୍ଟନାୟକ ଭଲ ଭାବେ ଅବଗତ ଅଛନ୍ତି। କିନ୍ତୁ ଏଭଳି ପ୍ରୟାସ ସଫଳ ହେବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।