ବଲାଙ୍ଗୀର,୨୧/୭- ଦାଦନ ପ୍ରବଣ ଲୋଇସିଂହା ନିର୍ବାଚନ ମଣ୍ଡଳୀକୁ କେନ୍ଦ୍ର ସରକାରଙ୍କ ୱାନ ନେସନ ୱାନ ରାସନ ଓ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଭୁକ୍ତ କରିବାପାଇଁ ବିଧାୟକ ଡ. ମୁକେଶ ମହାଲିଙ୍ଗ ଚିଠି ଲେଖିଛନ୍ତି । ପତ୍ର ସଂଖ୍ୟା ୨୭୩ ତା୧୫-୦୭-୨୦ରେ ମାନ୍ୟବର ବିଧାୟକଙ୍କ ଯୁକ୍ତି ଅନୁସାରେ ବହୁ ଲୋକ କାମଧନ୍ଦା ପାଇଁ ବାହାରକୁ ଯାଇଥାନ୍ତି , ସେଠାରେ ଅଧିକ ଦରରେ କିଣାକିଣି କରୁଛନ୍ତି । ଅନ୍ୟ ପଟେ ତାଙ୍କ ପାଇଁ ଉଦ୍ଦିଷ୍ଟ ରାସନ ହରିଲୁଟ ହେଉଛି । ସେହିପରି କେନ୍ଦ୍ର ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେଲେ ଲୋକେ ଉପକୃତ ହେବେ । ଏଣୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଉକ୍ତ ଦୁଇ ଯୋଜନା କାର୍ଯ୍ୟକାରୀ କରିବାକୁ ପତ୍ର ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବୀ କରିଛନ୍ତି । ଅନ୍ୟ ଏକ ଚିଠିରେ ମାହାରପାଲି ଛକ ଠାରେ ପୋଲିସ୍ ପୋଷ୍ଟ ଖୋଲିବା ପାଇଁ ଦାବୀ ରଖିଛନ୍ତି । ବରଗଡ ଓ ବଲାଙ୍ଗୀର ଜିଲ୍ଲା ସଂଯୋଗ ପଥରେ ଲୋଇସିଂହା ବ୍ଲକ ଅନ୍ତର୍ଗତ ମାହାରପାଲି ଏକ ଗୁରୁତ୍ୱପୂର୍ଣ୍ଣ ଛକ । ଦିନକୁ ଦିନ ଏ ଛକ ଓ ଆଖପାଖ ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ୨୭କିମି ଦୂରରେ ଥିବା ବଲାଙ୍ଗୀର ସଦର ପୋଲିସ ଷ୍ଟେସନ ବା ୨୦କିମି ଦୂର ମାଗୁରବେଢା ଫାଣ୍ଡି ନିୟନ୍ତ୍ରଣ କରିବା ସମ୍ଭବ ହେଉନାହିଁ । ଅନାୟାଶରେ ଅପରାଧି ଖସି ଯାଉଛନ୍ତି । ଏଠାରେ ସୂଚାଇ ଦିଆଯାଏ ଯେ, ମାହାରପାଲି ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆଖପାଖ ୧୦ଟି ପଞ୍ଚାୟତ ଲୋକେ ନିର୍ଭରଶୀଳ ତଥା ଏକ ଗୁରୁତ୍ୱପୂର୍ଣ୍ଣ ବଜାର ବସେ । କିନ୍ତୁ ଅସାମାଜିକ ଗତିବିଧି ଓ ଅପରାଧୀଙ୍କ ଲଗାମଛଡା କାରନାମା ଯୋଗୁଁ ଜନସାଧାରଣଙ୍କ ସୁରକ୍ଷା ସଙ୍କଟ ଦେଖାଦେଇଛି । ଏଣୁ ଆଉଟ ପୋଷ୍ଟଟିଏ ଦାବୀକରି ବିଧାୟକ ମହାଲିଙ୍ଗ ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ।