ରଥଯାତ୍ରା ବନ୍ଦ ହେଲା, ବୋଲବମ୍‌ ଯାତ୍ରା ବି ବନ୍ଦ ହେବ !

ବୈାଦ୍ଧ- ବୌଦ୍ଧଜିଲ୍ଲାର ସମସ୍ତ ଶ୍ରୀଜଗନ୍ନାଥ ମନ୍ଦିରରେ ରଥଯାତ୍ରା ବନ୍ଦ ହୋଇ କେବଳ ନୀତିକାନ୍ତି ପରିଚାଳିତ ହେଲା । କରୋନା କେବଳ ଲୋକଙ୍କ ଜୀବନ ନେଉଛି ତାହାନୁହେଁ ଭାରତବର୍ଷର ହଜାରହଜାର ବର୍ଷର ପ୍ରାଚୀନ ପରଂପରା ଓ ଲୋକଙ୍କ ଆଧ୍ୟାତ୍ମିକ ଭାବନାକୁ ମଧ୍ୟ ଆକ୍ରାନ୍ତ କରିଛି । ଆଉ ଦୁଇସପ୍ତାହ ପରେ ଆସିବ ଶ୍ରାବଣମାସ । ଶ୍ରାବଣର ସୋମବାର ଗୁଡିକରେ ହଜାରହଜାର କାଉଡିଆ ବିଭିନ୍ନ ଶୈବପୀଠରେ ଜଳାଭିଷେକ କରିଥାନ୍ତି । କାନ୍ଧରେ ଭାରବୋହି ଦଳଦଳ ହୋଇ ଜଳଭର୍ତ୍ତି କଳସୀ ଧରି ରାସ୍ତାରେ ଚାଲିଚାଲି ଯିବାର ଦୃଶ୍ୟ ଏବର୍ଷ ଆଉ ଦୃଶ୍ୟମାନ ହେବନାହିଁ । ଓଡିଶା ସରକାର ଯଦିଓ କାଉଡିଆଙ୍କ ଯାତ୍ରା ଓ ଜଳାଭିଷେକ ଉପରେ କୌଣସି ନିଷ୍ପତ୍ତି ନେଇନାହାନ୍ତି ତଥାପି କେତେକ ରାଜ୍ୟ ଏହା ଉପରେ ନିଷେଧାଦେଶ ଲାଗୁ କଲେଣି । ଆସନ୍ତା ସପ୍ତାହରେ ଓଡିଶା ସରକାର କାଉଡିଆଙ୍କ ଉପରେ ନିଷେଧାଦେଶ ଲାଗୁ କରିପାରନ୍ତି । ଲକଡାଉନ ଆରମ୍ଭ ହେବାର ସପ୍ତାହେ ପୂର୍ବରୁ ସମସ୍ତ ଧାର୍ମିକ ଅନୁଷ୍ଠାନରେ ଭକ୍ତଙ୍କ ପୂଜାପାଠ ଉପରେ କଟକଣା ଜାରି ହୋଇଥିବାରୁ ଓ ଏ କଟକଣା ବର୍ତ୍ତମାନ ଉଠିବାର ସମ୍ଭାବନା ନଥିବାରୁ ବୋଲବମ୍‌ ଯାତ୍ରାର ଯାତ୍ରୀମାନେ କୌଣସି ମନ୍ଦିରକୁ ଯାଇ ଜଳ ଢାଳିବାର ଅନୁମତି ପାଇବେ ନାହିଁ । ଏବର୍ଷ କାଉଡିଆମାନଙ୍କ ବୋଲବମ୍‌ ଯାତ୍ରା ନିଶ୍ଚିତ ପ୍ରଭାବିତ ହେବ । ରାସ୍ତାରେ ଏବର୍ଷ ଦିଶିବେ ନାହିଁ କାଉଡିଆ ଦଳ କି ଶୁଭିବ ନାହିଁ ବୋଲ୍‌ବମ୍‌ର ଡାକ ।

Comments (0)
Add Comment