ବୌଦ୍ଧରେ ନିବେଶକାରୀ ହତାଶ;ଅନ୍‌ଲାଇନ ଆପ୍‌ରେ କୋଟିକୋଟି ଟଙ୍କାର ଠକେଇ

ବୌଦ୍ଧ,୩୦/୮ (ହୀ.ପ୍ର) : ଆଜି ସଂଧ୍ୟାରେ ବୌଦ୍ଧ ସହରରେ ଅନଲାଇନ ଜୁଆ ଖେଳକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଶତାଧିକ ଲୋକ କୋଟିକୋଟି ଟଙ୍କା ହରାଇଥିବା ଚର୍ଚ୍ଚା ହେଉଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ଅଗଷ୍ଟ ୨୦ ତାରିଖ ଦିନ ବୌଦ୍ଧ ସହରର ଏକ ହୋଟେଲରେ ଅନଲାଇନ ଆପ୍‌ରେ ଟଙ୍କା ଲଗାଇବା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ରନ୍‌ ଲିଭ୍‌ (Runlve) ନାମକ ଏହି ଆପ୍‌ରେ ଟଙ୍କା ଲଗାଇଲେ ଅଧିକ ଲାଭ ମିଳିବ ବୋଲି ଭିନ୍ନ ଢଙ୍ଗରେ ଲୋକଙ୍କୁ ପ୍ରବର୍ତ୍ତା ଯାଇଥିଲା । ଏହି ଆପ୍‌ରେ ଟଙ୍କା ଲଗାଇବା ପାଇଁ ଅଧିକ ପ୍ରଚାରପ୍ରସାର ପାଇଁ କେତେକ ମହିଳା ମଧ୍ୟ କାର୍ଯ୍ୟ କରିଥିବା ଜଣାପଡିଛି । ସେହିପରି ଅନ୍ୟ ଏକ ହୋଟେଲରେ ମହିଳାମାନଙ୍କୁ ଡାକି କର୍ପୋରେଟ୍‌ ସଂସ୍କୃତି ମହୋତ୍ସବ ନାମରେ ଏଭଳି ପ୍ରଚାରପ୍ରସାର କରାଗଲା ଯେ, ଦୁଇ ସପ୍ତାହ ମଧ୍ୟରେ ଲୋକେ କୋଟିକୋଟି ଟଙ୍କା ଅନଲାଇନରେ ଜମା କରି ବରବାଦ୍‌ ହୋଇଯାଇଛନ୍ତି । ପ୍ରଥମେ ସେମାନଙ୍କ ଆକାଉଣ୍ଟକୁ କିଛି କିଛି ଟଙ୍କା ଲାଭ ଆକାର ଆସିଥିଲା । ଏହାର ବ୍ୟାପକ ପ୍ରଚାରପ୍ରସାର ଫଳରେ ବହୁ ଲୋକ ଏହି ଆପ୍‌ ଟଙ୍କା ଲଗାଇଥିଲେ ।

ଆଜି ସଂଧ୍ୟାରେ ଯେଉଁ ରନ୍‌ଲିଭ୍‌ (Runlve) ନାମକ ଆପ୍‌ରେ ଲୋକମାନେ ଅର୍ଥ ବିନିଯୋଗ କରିଥିଲେ ତାହା କାମ କରୁନାହିଁ କିମ୍ବା ନିବେଶକାରୀମାନେ ସେମାନଙ୍କର ଟଙ୍କା କାଢି ପାରୁନାହାନ୍ତି । ଓଲଟା ସେମାନଙ୍କୁ କିଛି ପ୍ରଶ୍ନ ଦିଆଯାଇ ପୁଣି କିଛି ଅର୍ଥ ଜମା କରିବା ପାଇଁ ପ୍ରବର୍ତ୍ତା ଯାଉଛି । ଏହି ର‍୍ୟାକେଟ୍‌ରେ ସହରର ଅନେକ ଯୁବକ, ସରକାରୀ ଚାକିରିଆ ଏପରିକି କିଛି ପୁଲିସ କର୍ମଚାରୀ ମଧ୍ୟ ଖେଳ ପରିଚାଳନାରେ ଅଂଶୀଦାର ଥିବା ଚର୍ଚ୍ଚା ହେଉଛି । ବୌଦ୍ଧ ସହରରେ କିଏ ଏହି ଖେଳକୁ ପ୍ରଥମେ ଆରମ୍ଭ କଲା, ସାଧାରଣ ଲୋକଙ୍କୁ ଭୂଆଁ ବୁଲାଇ ଏତେ ବଡ ର‍୍ୟାକେଟ୍‌ ପଛରେ କିଏ ମାଷ୍ଟରମାଇଣ୍ଡ ତାହାକୁ ନେଇ ପ୍ରଶ୍ନ ଉଠିଛି । ସ୍ଥାନୀୟ ପୁଲିସରେ ଏଯାଏଁ କେହି ଅଭିଯୋଗ କରିନଥିଲେ ମଧ୍ୟ ଅନେକ ଖଟିଖିଆ ଛୋଟ ଦୋକାନୀ ମଧ୍ୟ ଠକାମୀର ଶିକାର ହେବା ସହ ସର୍ବସ୍ୱାନ୍ତ ହୋଇଛନ୍ତି । ବିଭିନ୍ନ ସମୟରେ ପୁଲିସ ପ୍ରଶାସନ ତରଫରୁ ଲୋକଙ୍କୁ ଯେତେ ସଚେତନ କରାଯାଉଥିଲେ ହେଁ ଲୋକେ ସଚେତନ ହେଉନାହନ୍ତି କିମ୍ବା ଏଭଳି ଠକାମୀର ମାଷ୍ଟରମାଇଣ୍ଡ ମାନେ ସରଳନିରୀହ ଲୋକଙ୍କୁ ଶିକାର କରିବା ଛାଡୁନାହାନ୍ତି । ପ୍ରକୃତରେ କେତେ ଟଙ୍କା ବୌଦ୍ଧ ଜିଲ୍ଲାରେ ଠକାମୀ ହୋଇଛି ତାହା ତଦନ୍ତ ପରେ ଜଣାପଡିଛି ।

Comments (0)
Add Comment