ବୌଦ୍ଧ : ଦୁଇ ଦିନର ବିରାମ ପରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୨/୭ – ଗତ କିଛି ଦିନ ହେଲା ପ୍ରତିଦିନ ବୌଦ୍ଧ ଜିଲ୍ଲାରେ କରୋନା ପଜିଟିଭ ବାହାରୁଥିବା ବେଳେ ଦୁଇ ଦିନ ଏଥିରେ ଟିକିଏ ବିରାମ ଲାଗିଥିଲା । ଆଜି ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ପଜିଟିଭ ସଂଖ୍ୟା ୮୦ ରେ ପହଞ୍ଚିଲା । ବୌଦ୍ଧ ସହର ଓ ପାଖାପାଖି ଅଂଚଳରେ ସ୍ଥାନୀୟ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ତାହା ଚିନ୍ତାର ବିଷୟ ପାଲଟିଛି । ଆଜି ବୌଦ୍ଧ ସହର ନିକଟ ଜଗଦୀଶପୁର୍ ଗ୍ରାମରୁ ଚିହ୍ନଟ ହୋଇଥିବା ୩ ଜଣ ବ୍ୟକ୍ତି ଗୋଟିଏ ପରିବାରର ବୋଲି ସୂଚନା ମିଳିଛି । ଚାରି ଦିନ ତଳେ ପଜିଟିଭ ଚିହ୍ନଟ ହୋଇ ବୌଦ୍ଧ କୋଭିଡ ହେଲଥ ସେଣ୍ଟରରେ ଚିକିତ୍ସିତ ହେଉଥିବା ହୋମଗାର୍ଡଙ୍କ ପରିବାରବର୍ଗମାନେ ବୋଲି କୁହାଯାଉଛି । ସରକାରୀ ଭାବେ ପୂର୍ବରୁ କୌଣସି ସୂଚନା ମିଳିନଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ସମସ୍ତ ୩ ଆକ୍ରାନ୍ତଙ୍କୁ ସୋମବାର ସନ୍ଧ୍ୟାରେ ତାଙ୍କ ଘରୁ ଆଣି ବୌଦ୍ଧ କୋଭିଡ ହେଲଥ ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲା । କେବଳ ଔପଚାରିକ ଭାବେ ଆଜି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତାକୁ ଘୋଷଣା କରିଛି ବୋଲି ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ପ୍ରକାଶ କରିଛନ୍ତି ।

Comments (0)
Add Comment