ବୌଦ୍ଧ,୨୫/୭ – ଜିଲ୍ଲାରେ କରୋନା ସ୍ଥିତି ସଙ୍ଗୀନ ଅବସ୍ଥାକୁ ଆସିଛି । ଜିଲ୍ଲାରେ ୧୨୩ ଜଣ କରୋନା ପଜିଟିଭ ମାନଙ୍କ ମଧ୍ୟରୁ ୫୮ ଲୋକାଲରୁ ଓ ହୋମ କ୍ୱାରେଣ୍ଟାଇନରୁ ୫ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଯେଉଁ ଅଂଚଳରୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେ ଗାଆଁ ଗୁଡିକୁ ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରୁଛନ୍ତି । ବାଉଁଶ ବାଡ ବନ୍ଧାରେ ହିଁ ରହି ଯାଉଛି କଣ୍ଟେନମେଣ୍ଟ ଜୋନର ପରିଭାଷା । ଲୋକେ ବାଡ ଡେଇଁ ଖୁଲମ୍ ଖୁଲା ବିଚରଣ କରି ଯିବା ଆସିବା କରିବା ସହ ଦଳଦଳ ହୋଇ ଏକାଠି ହେଉଛନ୍ତି । ଜିଲ୍ଲାପାଳ କ୍ଷମତା ପ୍ରାପ୍ତ ସରପଞ୍ଚମାନେ ଗୋଟିଏ କାଗଜରେ ଲେଖି କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରି କାମ ସାରି ଦେଉଛନ୍ତି । କଣ୍ଟେନମେଣ୍ଟ ଜୋନ ଅଞ୍ଚଳରେ ଯାହା ଯାହା ବ୍ୟବସ୍ଥା ଓ କଟକଣା ରହିବା କଥା ପ୍ରଶାସନ ଉପଲବ୍ଧ କରାଇବା କଥା ତାହା କୌଣସି ସ୍ଥାନରେ ଦେଖିବାକୁ ମିଳୁନାହିଁ । କଣ୍ଟେନମେଣ୍ଟ ଜୋନ ଭାବେ ଘୋଷିତ ଅଂଚଳରେ ଥିବା ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଶାସନ ଯୋଗାଇବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା ଆଜି ଯାଏଁ କୋଉଠି ଯୋଗାଣ ହୋଇଥିବାର ଦେଖିବାକୁ ମିଳେନାହିଁ । ଲୋକେ ବାଧ୍ୟ ହୋଇ ବାହାରକୁ ଆସି ସେସବୁ ସାମଗ୍ରୀ କ୍ରୟ କରୁଥିବା ଦେଖିବାକୁ ମିଳୁଛି । ଆବଶ୍ୟକ ପୋଲିସ୍ ମୁତୟନ ମଧ୍ୟ ହେଉନାହିଁ । ସ୍ୱାସ୍ଥ୍ୟ ସମ୍ପର୍କୀତ ସୂଚନା ସଂଗ୍ରହ ଧର୍ମକୁ ଆଖି ଠାର ସଦୃଶ ଚାଲିଛି । କରୋନା ମହାମାରୀର ମୁକାବିଲା ଆରମ୍ଭରୁ ଆଜିଯାଏଁ ଢିଲା ମେଲାରେ ଚାଲିଥିବା ଅଭିଯୋଗ ହୁଏ । ବର୍ତ୍ତମାନ ଜିଲ୍ଲାରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହେବାର ମୁଳ କାରଣ ମଧ୍ୟ ତାହା ବୋଲି ଆଲୋଚନା ହେଉଛି । କରୋନାର ମୁକାବିଲା ପାଇଁ ଜିଲ୍ଲାରେ ଯାହା ବି ପଦକ୍ଷେପ ନିଆ ଯାଉଛି ତାହାକୁ ଆନ୍ତରିକତାର ସହ ନିଆଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି ।