ବୌଦ୍ଧ,୨୩/୯ – ଆଜି ସନ୍ଧ୍ୟା ପ୍ରାୟ ଘ. ୭. ୩୦ ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ର ହରେକୃଷ୍ଣପୁର ନିକଟ ଅଣ ଓସାରିଆ ଚିଲାଖଣ୍ଡି ପୋଲ ଉପରେ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ମାଲ୍ ବୋଝେଇ ଟ୍ରକ ପୋଲ ତଳକୁ ଖସି ପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଉଭୟ ଟ୍ରକ ମୁହାଁମୁହିଁ ଧକ୍କା ହେବା ପରେ ଗୋଟିଏ ଟ୍ରକ୍ ପୋଲ ତଳକୁ ଖସି ପଡିଥିବା ବେଳେ ଅନ୍ୟ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ଉପରେ ଅଟକି ରହିଛି ।
ଫଳରେ ଜାତୀୟ ରାଜପଥ ୫୭ ର ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଛି । ଖବରପାଇ ବୌଦ୍ଧ ଓ ପୁରୁଣା କଟକ ପୋଲିସ ଦୁର୍ଘଟଣା ସ୍ଥଳରେ ପହଂଚି ପୋଲ ଉପରୁ ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ ଅପସାରଣ ପାଇଁ ଉଦ୍ୟମ ଆରମ୍ଭ କରିଛି । ଦୁର୍ଘଟଣା ପରେ ଉଭୟ ଗାଡିର ଷ୍ଟାଫ କୁଆଡେ ଫେରାର ମାରିଥିବା କୁହାଯାଉଛି । ଫଳରେ ସେମାନେ ଦୁର୍ଘଟଣାରେ କେତେଜଣ ଆହତ ହୋଇଛନ୍ତି ଜଣାପଡିନାହିଁ ।