ବୌଦ୍ଧ: ଶଯ୍ୟା ଅଭାବରୁ ବାରଣ୍ଡାରେ ଗଡୁଛନ୍ତି ରୋଗୀ

ବୌଦ୍ଧ,୯/୭: କରୋନା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବ୍ୟସ୍ତ ରହିଥିବାବେଳେ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ସାଧାରଣ ରୋଗୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୌଦ୍ଧଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟାରେ ଶଯ୍ୟା ଓ ଭିତ୍ତିଭୂମିର ଅଭାବ ଯୋଗୁଁ ସବୁବେଳେ ରୋଗୀମାନେ ବିଭିନ୍ନ ୱାର୍ଡର ବାରଣ୍ଡାରେ ତଳେ ମସିଣାରେ ଗଡୁଥିବା ଏକ ସାଧାରଣ ଘଟଣା ହୋଇଛି । କୋଭିଡ ଭଳି ମହାମାରୀ ସମୟରେ ସାମାଜିକ ଦୂରତା ଓ ସଂକ୍ରମଣକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ସେହି ବାରଣ୍ଡା ଦେଇ ସବୁବେଳେ ରୋଗୀ, ତାଙ୍କର ଆଟେଣ୍ଡାଣ୍ଟ ଓ ସ୍ୱାସ୍ଥ୍ୟ କର୍ମୀମାନେ ବିଭିନ୍ନ କାମରେ ସବୁବେଳେ ଯିବାଆସିବା କରିଥାଆନ୍ତି । ସେଥିପାଇଁ ସଂକ୍ରମଣ ଭୟ ରହିଥାଏ । ଅତି ଗୁରୁତର ରୋଗୀ, ନବଜାତକ ଶିଶୁ ଓ ପ୍ରସୂତିମାନେ ବାରଣ୍ଡାରେ ଦିନ ଦିନ ଧରି ପଡିରହି ଚିକିତ୍ସା ହେଉଥିବା ଦେଖିବାକୁ ମିଳୁଛି । ତେଣୁ ଏ ସମ୍ପର୍କରେ ପ୍ରଶାସନ ଆବଶ୍ୟକ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବି ହେଉଛି ।

Comments (0)
Add Comment