ବୌଦ୍ଧ,୮/୯ – ବୌଦ୍ଧଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତୀ ନମିତାରାଣୀ ଦାଶଙ୍କ ନେତୃତ୍ୱରେ ଗୋପବନ୍ଧୁ ଛକଠାରେ ପତ୍ନୀ ନିର୍ଯ୍ୟାତନା ଅଭିଯୋଗରେ ବିବାଦ ଭିତରେ ରହିଥିବା ବିଜେଡିର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଇସ୍ତଫା, ଗିରଫ ଦାବୀରେ ସାଂସଦ ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ଦାହ ଦଳ ତରଫରୁ କରାଯାଇଥିଲା । ସମାଜର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ନିଜେ ମହିଳା ବିରୋଧୀ କାର୍ଯ୍ୟରେ ଲିପ୍ତଥିବା ଘଟଣା ସାମନାକୁ ଆସିଥିବାରୁ ଏହାର ଦୃଢ ପ୍ରତିବାଦ କରାଯିବା ସହିତ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ଦଳପକ୍ଷରୁ ଦୃଢ ପ୍ରତିବାଦ ସହ ଅନୁଭବଙ୍କ ଇସ୍ତଫା ଦାବି କରାଯାଇଥିଲା । ଓଡିଶାର ପ୍ରତିଷ୍ଠିତ ଓଡିଆ ଚଳଚ୍ଚିତ୍ରର ଅଭିନେତ୍ରୀ ତଥା ସାଂସଦ ଅନୁଭବଙ୍କ ଧର୍ମପତ୍ନୀ ଶ୍ରୀମତୀ ବର୍ଷା ପ୍ରିୟଦର୍ଶିନୀ ନିଜ ଅଭିଯୋଗରେ ଯେଉଁ ସଙ୍ଗୀନ ଅଭିଯୋଗ ସାଂସଦ ଅନୁଭବଙ୍କ ବିରୁଦ୍ଧରେ ଆଣିଛନ୍ତି ତାକୁ ଦୃଷ୍ଟିରେ ରଖି ସାମ୍ବିଧାନିକ ପଦରେ ଥିବା ସାଂସଦ ମହାନ୍ତି ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦେଇଦେବା ଉଚିତ । ଘଟଣାକୁ ଅନୁଧ୍ୟାନକଲେ ଜଣାପଡୁଛି ସାଂସଦ ଶ୍ରୀ ମହାନ୍ତି ତାଙ୍କ ପତ୍ନୀ ବର୍ଷାଙ୍କୁ ଘରୋଇ ଅତ୍ୟାଚାର ଦେବାରେ ଚରମସୀମା ଉଲ୍ଲଂଘନ କରିଛନ୍ତି । ରାଜ୍ୟର ମା ଭଉଣୀମାନଙ୍କୁ ସୁରକ୍ଷା ଦେବାରେ ରାଜ୍ୟସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହି ଘଟଣା ରାଜ୍ୟସରକାରଙ୍କ ମହିଳା ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରୁଅଛି । ମା କୁ ସମ୍ମାନ ଦେଉଥିବା ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ନିରବଦ୍ରଷ୍ଟା ସାଜିଛନ୍ତି । ଯଦି ସାଂସଦ ଅନୁଭବଙ୍କୁ ବହିଷ୍କାର କରାନଯାଏ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ନିଜ ବକ୍ତବ୍ୟରେ ଶ୍ରୀମତୀ ଦାଶ କହିଛନ୍ତି । ଏହି ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ ସ୍ୱର୍ଣ୍ଣମୟୀ ପ୍ରଧାନ, ପୂର୍ବତନ ଜିଲ୍ଲା ସଭାପତି ସୌମିତ୍ରୀ ନାୟକ, ମନରଞ୍ଜନ ଦାଶ, ମାଗୁଣି ଗାଈଗୌରିଆ, ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ନିବେଦିତା ମହାକୁଡ, ବରିଷ୍ଠ ବିଜେପିନେତା ସତ୍ୟାନନ୍ଦ ପାଣ୍ଡେ, ପ୍ରଦ୍ୟୁମ୍ନ ଧଳ, ତାପସ କୁମାର ପଟ୍ଟନାୟକ, ସୁଧୀର ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।