ବୌଦ୍ଧ,୧୦/୭ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଗ୍ରାମର ଜଣେ ଯୁବକ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପରେ ନିଖୋଜ ହୋଇଯାଇଥିବା ପରିବାରବର୍ଗଙ୍କ ସୂତ୍ରରୁ ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରାମଗଡ ଗ୍ରାମର ଏକାଦଶୀ ମାହାରଙ୍କ ସାନପୁଅ ସନ୍ତୋଷ ମାହାର (୨୪) ନୟାଗଡ ଅଞ୍ଚଳର ଏକ ଟ୍ରକରେ ହେଲପର ଭାବେ କାର୍ଯ୍ୟ କରୁଥିଲେ । ଟ୍ରକରେ ମାଲବୋଝେଇ କରି ଡ୍ରାଇଭର ସହ ପାରାଦ୍ୱୀପ ଯାଇଥିଲେ । ପାରାଦ୍ୱୀପ ବନ୍ଦରକୁ ମାଲ୍ ଖାଲିକରିବାପାଇଁ ଡ୍ରାଇଭର ଏକୁଟିଆ ଯାଇ ସନ୍ତୋଷକୁ ପାରାଦ୍ୱୀପ ଅଠରବାଙ୍କି ନିକଟରେ ଓହ୍ଲାଇ ଦେଇ ଯାଇଥିଲେ । ସେଦିନ ରାତିରେ ଟ୍ରକ ଅନଲୋଡ ହେବାକୁ ଡେରି ହୋଇଥିଲା ଓ ପରଦିନ ସକାଳେ ଡ୍ରାଇଭର ମାଲ୍ ଖାଲିକରି ଫେରିଥିଲେ । ସନ୍ତୋଷକୁ ପୂର୍ବଦିନ ଯେଉଁଠାରେ ଛାଡିଥିଲେ ଡ୍ରାଇଭର ସେଠାରେ ନପାଇ ଫୋନ କରିଥିଲେ । ସନ୍ତୋଷଙ୍କ ଫୋନ ସୁଇଚଅପ୍ ଥିବାରୁ ଯୋଗାଯୋଗ ହୋଇପାରିନଥିଲା । ଡ୍ରାଇଭର ଜଣକ ସନ୍ତୋଷ ମିଳୁନଥିବା ଖବର ରାମଗଡରେ ରହୁଥିବା ପରିବାରଙ୍କୁ ଦେଇ ଗାଡି ନେଇ ଚାଲିଆସିଥିଲେ । ଯାନବାହନ ଚଳାଚଳ ହେଉନଥିବାରୁ ପରିବାରଲୋକ ପାରାଦ୍ୱୀପ ଯାଇ ସନ୍ତୋଷଙ୍କ ନିଖୋଜ ସଂପର୍କରେ ଥାନାରେ ଅଭିଯୋଗ କରିନଥିବାବେଳେ ଖୁବଶୀଘ୍ର ଅଭିଯୋଗ କରିବେ ବୋଲି ଶୁଣାଯାଏ । ସନ୍ତୋଷଙ୍କ ନିଖୋଜ ମାମଲାରେ ଟ୍ରକ ଡ୍ରାଇଭରଙ୍କ ଭୁମିକା ସନ୍ଦେହଜନକ ମନେହେଉଥିବାରୁ ତାଙ୍କୁ ତଦନ୍ତ ପରିସରକୁ ଅଣାଗଲେ ପ୍ରକୃତ ରହସ୍ୟ ଉନ୍ମୋଚିତ ହେବ ବୋଲି ଆଲୋଚନା ହେଉଛି ।