କରୋନା ପାଇଁ ଫିକାପଡିଲା ଶ୍ରୀରାମ ନବମୀ ଓ ରାମଲୀଳା

ବୌଦ୍ଧ,୨୨/୪ – କରୋନା ମହାମାରୀର ଦ୍ୱିତୀୟ ଲହର୍‌ ଆସିବାପରେ ଲାଗୁ ହୋଇଛି କଟକଣା । ଗତକାଲି ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀରାମ ମନ୍ଦିର ମାନଙ୍କରେ ପାରମ୍ପରିକ ପୂଜାବିଧି ଅନୁଷ୍ଠିତ ହୋଇଥିଲେ ମଧ୍ୟ ଭକ୍ତ ଓ ବ୍ରତୀମାନଙ୍କ ସମାଗମ ଦେଖିବାକୁ ମିଳିନଥିଲା । କରୋନା ଯୋଗୁଁ ଲକଡାଉନ ଥିବାରୁ ଗତବର୍ଷ ମଧ୍ୟ ଶ୍ରୀରାମ ନବମୀ ଯାତ୍ରା ଆୟୋଜନ ହୋଇ ପାରିନଥିଲା । ଚଳିତବର୍ଷ ଲକ ଡାଉନ ନଥିଲେ ମଧ୍ୟ ଦ୍ୱିତୀୟ ଲହର୍‌ ଆସିଥିବାରୁ ପ୍ରଶାସନ ଶ୍ରୀ ରାମଲୀଳା ଉପରେ କଟକଣା ଲଗାଇଛି । କେବଳ କମ୍‌ ଲୋକରେ ମନ୍ଦିର ମଧ୍ୟରେ ସେବାୟତ ମାନଙ୍କ ଦ୍ୱାରା ଠାକୁରଙ୍କର ରୀତି ନୀତି ଆୟୋଜନ କରିବାକୁ ପ୍ରଶାସନର ନିର୍ଦ୍ଦେଶ ରହିଛି ।
ଗତକାଲି ସକାଳେ ସେବାୟତ ମାନେ ପାରମ୍ପରିକ ପୂଜାବିଧି ସାରିବା ପରେ ଶ୍ରଦ୍ଧାଳୁମାନେ କୋଭିଡ ନିୟମ ମାନି ଠାକୁରଙ୍କ ଦର୍ଶନ କରିଥିଲେ । ରାତିରେ ଯାତ୍ରା ବା ଲୀଳା ନାଟକ ପରିବେଷଣ ବିଭିନ୍ନ ସ୍ଥାନରେ ବନ୍ଦ ରହିଥିଲା । ମିଳିଥିବା ସୂଚନା ଅନୁଯାୟୀ କେତେକ ଗ୍ରାମରେ ଶ୍ରୀରାମ ନବମୀ ଅବସରରେ ଅଷ୍ଟପ୍ରହର ନାମ ଯଜ୍ଞ ଓ ରାତିରେ ଶ୍ରୀରାମ ଜନ୍ମନାଟକ ମଧ୍ୟ ଆୟୋଜନ କରାଯାଇଛି । ବୌଦ୍ଧସହର ସମେତ ବାଉଁଶୁଣୀ ଛକ, ବାଉଁଶୁଣୀ, ବହିରା, ଦେବଗଡ ଆଦି ପୀଠରେ ଶ୍ରୀରାମଲୀଳା ନାଟକ ପରିବେଷଣ ବନ୍ଦ ରହିଥିବା ଜଣାପଡିଛି । ଆଭ୍ୟନ୍ତରୀଣ ଅଂଚଳରେ କେତେକ ପୀଠରେ ପ୍ରଶାସନର ନିର୍ଦ୍ଦେଶାନାମାକୁ ଫୁ’କରିଦେଇଛନ୍ତି ଆୟୋଜକ । ନିର୍ଦ୍ଦେଶାନାମା ଜାରୀ କରିବା ପରେ ତାକୁ କିପରି କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ କ୍ଷମତାପ୍ରାପ୍ତ ଅଧିକାରୀ କିମ୍ବା ପୋଲିସ ପାଖରେ ସମୟ ନଥିବାରୁ ଲୋକେ କୋଭିଡ କଟକଣାକୁ ଉଲ୍ଲଂଘନ କରିବାକୁ ସାହାସ କରୁଥିବା ଆଲୋଚନା ହେଉଛି । ଜିଲ୍ଲାପାଳଙ୍କ ଦ୍ୱାରା ଜାରୀ କରାଯାଇଥିବା କଟକଣା ସମ୍ପର୍କରେ ଆୟୋଜକମାନେ ଜାଣିନଥିବା ହେତୁ ମଧ୍ୟ ସେମାନେ ଏ ଭଳି କରୁଥିବା ଆଲୋଚନା ହେଉଛି ।

Comments (0)
Add Comment