ବୌଦ୍ଧ/ବାଉଁଶୁଣୀ,୬/୧୨ – ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜୋତ୍ସ୍ନା ଭୋଇଙ୍କ ସ୍ୱାମୀ ଜିତେନ୍ଦ୍ରୀୟ ମଲ୍ଲିକଙ୍କୁ ତାଙ୍କ ଗାଁ ମୁଣ୍ଡରୁ ବନ୍ଧୁକ ଅପହରଣ କରିନେଇ ନିସ୍ତୁକ ମାଡ ମାରିବା ପରେ ରାତି ପ୍ରାୟ ୧୨ ଘଣ୍ଟା ସମୟରେ ଛାଡି ଦେଇଥିବା ବାଉଁଶୁଣୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଜିତେନ୍ଦ୍ରୀୟ ନିଜ ଗ୍ରାମ ଝାରମୁଣ୍ଡା ଗାଆଁ ମୁଣ୍ଡରେ ଅନ୍ୟ ମାନଙ୍କ ସହ ବସିଥିବା ବେଳେ ଗୋଟିଏ ସ୍କୋର୍ପିଓ ଗାଡି ଓଡି ୦୨ ଏସି ୦୦୭୮ରେ ଝାରମୁଣ୍ଡା ଗ୍ରାମର ବିଜୟ ବାରିକ, ବିରେନ ବାରିକ, ହେମନ୍ତ ନାଏକ, ବନପାଲି ଗ୍ରାମର ଟଙ୍କଧର ଛତ୍ର, ଅଶୋକ ବାରିକ, ଟାଲୁପାଲି ଗ୍ରାମର ତୁଳସୀ ମହାକୁଡ, ସୌରୀ କର୍ଣ୍ଣ ଆସି ଜିତେନ୍ଦ୍ରୀୟଙ୍କୁ ପିସ୍ତଲ୍ ଦେଖାଇ ଅପହରଣ କରିନେଇଥିଲେ । ଉଡବିଲିକା ଫଗୁସାହି ନିକଟରେ ଥିବା ବିଜୟ ବାରିକଙ୍କ ଇଟା ଫେକ୍ଟ୍ରିକୁ ନେଇ ମାଡମାରିବା ସହ ଜାତିଆଣ ଆକ୍ଷେପ କରିଥିବା ଥାନାରେ ଅଭିଯୋଗ ହୋଇଛି । ବାଉଁଶୁଣୀ ଥାନାରେ ୧୩୬/୨୦୨୦ରେ ଅପହରଣ, ମାଡ ମାରିବା, ଆଟ୍ରୋସିଟି ଓ ଆର୍ମସ ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି । ସେହିପରି ପରବର୍ତ୍ତି ସମୟରେ ଆଉ ଗୋଟିଏ ମାମଲା ଦାଖଲ୍ କରିଛନ୍ତି ତୁଳସୀ ମହାକୁଡ । ଜିତେନ୍ଦ୍ରୀୟ ସେମାନଙ୍କୁ ଗାଳିଗୁଲଜ କରି ମଦ ବୋତଲ ଭାଙ୍ଗି ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଜିତେନ୍ଦ୍ରୀୟଙ୍କ ଅଭିଯୋଗର ତଦନ୍ତ ଦାୟିତ୍ୱ ଉପଖଣ୍ଡ ପୋଲିସ୍ ଅଧିକାରୀ ଧୀରେନ ସ୍ୱାଇଁ ତଦନ୍ତ କରୁଥିବାବେଳେ ତୁଳସୀଙ୍କ ଅଭିଯୋଗର ତଦନ୍ତ ସବ୍ଇନ୍ସପେକ୍ଟର ବି. ଡି. ମଲିକଙ୍କୁ ଦିଆଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ସମସ୍ତେ ଶାସକ ବିଜେଡି ଦଳର ନେତା ଓ କର୍ମୀ ଅଟନ୍ତି । ଏ ଘଟଣାରେ ଦଳୀୟ ଅର୍ନ୍ତଦ୍ୱନ୍ଦ୍ୱ ହିଁ ମୁଖ୍ୟକାରଣ ବୋଲି ଜନସାଧାରଣରେ ଆଲୋଚନା ହେଉଥିବା ଶୁଣିବାକୁ ମିଳେ । ପୋଲିସ୍ ତଦନ୍ତ ପରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ଜିଲାବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।