ବୌଦ୍ଧ,୩ା୧୧ : ଦୁର୍ନୀତି ନିବାରଣ ସଚେତନତା ସପ୍ତାହର ଚତୁର୍ଥ ଦିବସରେ କଣ୍ଟାମାଳ ବ୍ଲକର ନାରାୟଣ ପ୍ରସାଦ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସିଲେଟପଡା ଗ୍ରାମରେ ବିଡିଓ ଶ୍ରୀଯୁକ୍ତ କଳାକୃଷ୍ଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟଅତିଥି ଭାବେ ଭିଜିଲାନସ ଇନ୍ସପେକ୍ଟର ଜଗବନ୍ଧୁ ଅଙ୍ଗରିଆ, ସମ୍ମାନିତ ଅତିଥି ଭାବେ ସହାକାରୀ ନିର୍ବାହୀଯନ୍ତ୍ରୀ ଜୟ ମହନ୍ତ, କନିଷ୍ଠ ଯନ୍ତ୍ରୀ ବୈକୁଣ୍ଠନାଥ ମାଝି, ସିଲେଟପଡା ଗ୍ରାମର ସତ୍ୟ ନାରାୟଣ ମାଝି, ଏନୱାଇଭି ସୁପ୍ରିୟା ଦେହୁରୀ ଯୋଗଦେଇ ନିଜନିଜ ବକ୍ତବ୍ୟରେ ଦୁର୍ନୀତିର ମୂଳୋତ୍ପାଟନ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ସ୍ୱାଗତ ଭାଷଣ ସହ ସଭା ସଂଯୋଜନା କରିଥିଲେ । ଶେଷରେ ନାରାୟଣ ପ୍ରସାଦ ପଞ୍ଚାୟତ ନିର୍ବାହୀ ଅଧିକାରୀ ହିମାଂଶୁ ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଦୁର୍ନୀତି ନିବାରଣ ନେଇ ଶପଥ ପାଠ ହୋଇଥିଲା । ଏଥିରେ ବହୁ ସଂଖ୍ୟାରେ ଗ୍ରାମବାସୀ ଯୋଗଦେଇଥିଲେ । ପରେ ପରେ ପଞ୍ଚାୟତ ମହାବିଦ୍ୟାଳୟ କଣ୍ଟାମାଳଠାରେ ଅଧ୍ୟକ୍ଷା ପ୍ରଭାସିନୀ ଖଟୁଆଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଇନ୍ସପେକ୍ଟର ଭିଜିଲାନ୍ସ ଜଗବନ୍ଧୁ ଅଙ୍ଗାରିଆ, ସମ୍ମାନିତ ଅତିଥି ଭାବରେ ଥାନା ଅଧିକାରୀ କଣ୍ଟାମାଳ ନଳିନୀ କାନ୍ତ ଦାଶ ଯୋଗଦେଇ ଦୁର୍ନୀତି ବିରୋଧରେ ସମସ୍ତଙ୍କୁ ସଚେତନ କରିବା ସହ ଶପଥପାଠ କରାଇଥିଲେ । ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସଭା ସଂଯୋଜନା କରିଥିଲେ । ଶେଷରେ ଏନୱାଇଭି ସୁପ୍ରିୟା ଦେହୁରୀ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଅଧ୍ୟାପକ ସମୀର ମେହେର ,ପୌଲସ୍ତି ପ୍ରଧାନ, ଅଧ୍ୟାପିକା କରିସ୍ମା ପାଣ୍ଡିଆ, ଛାତ୍ର ଆରତ ସାହୁ ପ୍ରମୁଖ ଯୋଗଦେଇ ନିଜକୁ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି ବୋଲି ସଚେତନତା ବାର୍ତ୍ତା ରଖିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଏସସଆଇ ନିକୁଞ୍ଜ ବାଗ, ପୁଷ୍ପାଞ୍ଜଳି ମିଶ୍ର, ଅଧ୍ୟାପକ ନୀଳମଣି ମଲ୍ଲିକ, କୁଶଳେଶ୍ୱର ସାହୁ, ଏନୱାଇଭି ଯାଜ୍ଞସେନୀ ରଣା, ଗୃହରକ୍ଷୀ ବିଶ୍ୱଜିତ ପୁଟା ପ୍ରମୁଖ ଯୋଗଦେଇ ସକ୍ରିୟ ସହଯୋଗ କରିଥିଲେ । ପରେ ପରେ ଓଡିଶା ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗାର ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ପାଠାଗାରଠାରେ ଦୁର୍ନୀତି ନିବାରଣ ସପ୍ତାହର ଉଦ୍ଦେଶ୍ୟ ଓ ଦୁର୍ନୀତିର ମୁଳତ୍ପାଟନ ସଂପର୍କରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ବୁଝାଇଥିଲେ । ଏନେଇ ଯୋଗୀନ୍ଦ୍ର ଦେବ ଉଚ୍ଚବିଦ୍ୟାଳୟଠାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ୃତା, ପ୍ରବନ୍ଧ ଲିଖନ ଓ କାର୍ଟୁନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏନୱାଇଭି ଆସମାନ ମହାକୁଡ ଏବଂ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ବକ୍ତୃତା ପ୍ରତିଯୋଗିତାରେ ଆଦର୍ଶ ବିଦ୍ୟାଳୟ ତେତେଲେଙ୍ଗାର ଛାତ୍ର ଅଙ୍କିତ ରଥ ପ୍ରଥମ ଓ ବବୁଲୁ କୁମାର ସାହୁ ଦ୍ୱିତୀୟ ଓ ମହିଳା ମହାବିଦ୍ୟାଳୟର ଶୁଭଶ୍ରୀ ଘିବେଲା ତୃତୀୟ ସ୍ଥାନ ଅଧିକାର କରିଥିଲେ ।