୧୫ ଦିନରେ ଜିଲ୍ଲାସାରା ଚହଟିଗଲା କରୋନା, ଅଣାୟତ ପରିସ୍ଥିତି !

ବୌଦ୍ଧ,୧୦/୫ – କରୋନା ମହାମାରୀର ଦ୍ୱିତୀୟ ଲହର୍‌ ଆସିବା ପରେ ଜିଲ୍ଲାର କୋଣ ଅନୁକଣେ ବ୍ୟାପୀଯାଇଛି । ଲୋକଙ୍କ ଭିତରେ ସଚେତନତାର ଅଭାବ ଓ ଅମାନିଆ ସ୍ୱଭାବ ଯୋଗୁଁ କରୋନା ତାର କାୟା ବିସ୍ତାର କରିଚାଲିଛି । କରୋନା ସଂକ୍ରମଣର ପ୍ରତିରୋଧ କରିବାରେ ପ୍ରଶାସନର ଖାମଖିଆଲି ମନୋଭାବ ସଂକ୍ରମଣ ବୃଦ୍ଧିରେ ସହାୟକ ହେଉଥିବା ଓଲଟା ଜନସାଧାରଣ ଅଭିଯୋଗ କରୁଛନ୍ତି । କରୋନା ବିରୋଧୀ ଅଭିଯାନରେ ପ୍ରଶାସନ ଓ ପୋଲିସ୍‌ ଯେତିକି ଉଦ୍ୟମ କରିବା କଥା କୌଣସି କାରଣରୁ ତାହା ହୋଇପାରୁନାହିଁ ବୋଲି ଅଭିଯୋଗ ଆସୁଛି । ସଂକ୍ରମିତ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ୍‌ କେୟାର ସେଣ୍ଟର କିମ୍ବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାନଯାଇ ଘରେ ରହିବାକୁ ପରାମର୍ଶ ଦେବା ଆଜି ମହଙ୍ଗା ପଡିଛି ବୋଲି ଆଲୋଚନା ହେଉଛି । ପଜିଟିଭ ଚିହ୍ନଟ ହୋଇଥିବା ଅନେକ ବ୍ୟକ୍ତି ବାହାରେ ବୁଲାବୁଲି କରି ସଂକ୍ରମଣ ଦୃତ ଗତିରେ ବୃଦ୍ଧି କରାଉଥିବା ବିଭିନ୍ନ ସ୍ଥାନରେ ନଜରକୁ ଆସିଛି । ସେଥିସହିତ ହୋମ୍‌ ଆଇସୋଲେସନ୍‌ରେ ଥିବା କୁହାଯାଉ ଥିବା ବ୍ୟକ୍ତିଙ୍କ ଘର ଆଗରେ କୌଣସି ବାରଣ ସୂଚନା ଫଳକ ନଥିବା ହେତୁ ଗ୍ରାମରେ କାହାକୁ କରୋନା ହୋଇଛି ତାହା ଗ୍ରାମବାସୀ ଜାଣି ପାରୁନାହାନ୍ତି । ବିବାହ ଭୋଜି ଗୁଡିକ ଆୟୋଜିତ ହୋଇ ଶହ ଶହ ଲୋକଙ୍କ ସମାଗମ ହେଉଥିବା ବେଳେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ହାଟ ବଜାରରେ ଲୋକେ ଶାରୀରିକ ଦୂରତା ରଖୁନାହାନ୍ତି ଓ ମାସ୍କ ପିନ୍ଧୁ ନଥିବା ଅଭିଯୋଗ ହେଉଛି । ପରିସ୍ଥିତି ନେଡିଗୁଡ କହୁଣୀକୁ ବୋହିସାରିବା ଅବସ୍ଥାକୁ ଆସି ଜିଲ୍ଲାର ୨ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳକୁ ଛାଡି ଆଉ ସବୁ ଗ୍ରାମ ପଞ୍ଚାୟତ କୁ ବ୍ୟାପିଗଲାଣି । ଦପଲା ଓ ବିଭିନ୍ନ ଗ୍ରାମ ପଞ୍ଚାୟତ ଅଂଚଳରେ ଶହ ଶହ ଲୋକ ବର୍ତ୍ତମାନ ଜ୍ୱରରେ ଆକ୍ରାନ୍ତ । ଲୋକେ ଡାକ୍ତରଖାନା ନଯାଇ ବିଭିନ୍ନ କ୍ୱାକ୍‌ ମାନଙ୍କଠାରୁ ଔଷଧ ଆଣି ଖାଇ ଦେଇ ରହି ଯାଉଛନ୍ତି ଓ ଅତି ଅସୁସ୍ଥ ହେବାପରେ ଯାଇ କୋଭିଡ୍‌ ପରୀକ୍ଷା କରାଉଥିବା ଦେଖିବାକୁ ମିଳୁଛି । ଜିଲ୍ଲାରେ କରୋନା ପ୍ରତିଦିନ ଶତକ ପାର୍‌ କରି ଚାଲିଥିବା ବେଳେ ତାକୁ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ବିକଳ୍ପ ବ୍ୟବସ୍ଥା ଅବଲମ୍ବନ କରିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

Comments (0)
Add Comment