ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଇଁ ବୌଦ୍ଧକୁ ନିମନ୍ତ୍ରଣ

ବୌଦ୍ଧ,୧୬/୧:- ଆସନ୍ତା ୨୭ ତାରିଖ ଦିନ ସମଲେଇ ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ ସମ୍ବଲପୁରଠାରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଶ୍ରୀଶ୍ରୀ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଫକୀର ମୋହନ ମାଝୀ, ପୂଜକ କୁମାର ରାୟ, ପୂଜକ ସଙ୍କୀର୍ତ୍ତନ ରାୟ ବୌଦ୍ଧ ଜିଲ୍ଲାର ୭ ଗୋଟି ମନ୍ଦିରର ସଭାପତି, ସମ୍ପାଦକ, ପୂଜକଙ୍କୁ ନିମନ୍ତ୍ରଣ ପତ୍ର ଦେବା ପାଇଁ ଆସିଥିଲେ । ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ୫ ନମ୍ବର ଟିମକୁ ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ସ୍ୱାଗତ କରାଯାଇଥିଲା । ଏହି ଟିମ୍‌ ନମ୍ବର ୫ ପ୍ରଥମେ ବୌଦ୍ଧରେ ନିମନ୍ତ୍ରଣ ପତ୍ର ଦେଇ ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ ଏହିପରି ୭ ଟି ଜିଲ୍ଲାରେ ନିମନ୍ତ୍ରଣ ପତ୍ର ଦେଇ ସମ୍ବଲପୁରକୁ ପ୍ରତ୍ୟାବର୍ତ୍ତନ କରିବେ । ଅନ୍ୟ ୪ଟି ଟିମ୍‌ ଅନ୍ୟ ସବୁ ଜିଲ୍ଲାକୁ ନିମନ୍ତ୍ରଣ ପତ୍ର ଦେବା ପାଇଁ ଯିବେ । ସମଲେଇ ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ ଜାନୁଆରୀ ୨୭ ତାରିଖ ଦିନ ଅନୁଷ୍ଠିତ ହେବ । ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ୱାଇଁଙ୍କ ଅନୁରୋଧକ୍ରମେ ଆମ ଜିଲ୍ଲାର ୭ ଟି ମନ୍ଦିରର ପୂଜକ ଏବଂ ମନ୍ଦିର କର୍ମକର୍ତ୍ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସଭାପତି ପୁରୁଣାକଟକ ମାଁ ଭୈରବୀ ମନ୍ଦିର ସ୍ୱରେନ ପ୍ରଧାନ, ସଭାପତି ଗେହ୍ଲା ମାଁ ମନ୍ଦିର ନୂଆସାହି ବୌଦ୍ଧ ରଘୁନାଥ ସ୍ୱାଇଁ, ମାଁ ମେଟାକାନି ମନ୍ଦିର କଣ୍ଟାମାଳର ଦୟାନିଧି ଭୋଇ, ମାଁ କ୍ଷେତ୍ରପାଳିନୀ ମନ୍ଦିର ବାଉଁଶୁଣୀର ନାରାୟଣ ଦେହୁରୀ, ଉମା ମାହେଶ୍ୱରୀ ମନ୍ଦିର ବୀରନରସିଂହପୁରର ଧରଣୀଧର ମେଣ୍ଡିଲି, ମାଁ ସିଂହାସନୀ ଦେବୀ ( ମାହେଶ୍ୱରୀ) ବରପଦରର ପୂଜକ ରବୀନ୍ଦ୍ର ଦେହୁରୀ ଏବଂ ସଭାପତି ଗୁଣନିଧି ଗୁରୁ ଉପସ୍ଥିତ ରହି ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ । ସମଲେଶ୍ୱରୀ ମନ୍ଦିର ଘଣ୍ଟାପଡାର ନିମନ୍ତ୍ରଣ ପତ୍ର ନୋଡାଲ ଅଧିକାରୀ କୁମୁଦଚନ୍ଦ୍ର ଦଳବେହେରା ଗ୍ରହଣ କରିଥିଲେ । ବୌଦ୍ଧ ଜିଲ୍ଲାରେ ଏହି କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଭାବରେ ସହକାରୀ ଜିଲ୍ଲାପାଳ କୁମୁଦଚନ୍ଦ୍ର ଦଳବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂହ, ସହକାରୀ ଜିଲ୍ଲାପାଳ ଚାନ୍ଦିନୀ ମେହେର, ବରିଷ୍ଠ ରାଜସ୍ୱ ସହାୟକ ସର୍ବେଶ୍ୱର ଦାନୀ, ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Comments (0)
Add Comment