ବୌଦ୍ଧ,୨୫/୯ – କଥାରେ ଅଛି “ମରାକୁ କାଠ” ଅର୍ଥାତ୍ ସାହିପଡିଶା, ଆତ୍ମୀୟ ସ୍ୱଜନ ମଧ୍ୟରେ କେହି ମୃତ୍ୟୁବରଣ କଲେ ଶବ ପୋଡିବାପାଇଁ କାଠ ଖଣ୍ଡେଖଣ୍ଡେ ଦାନ କରିବା ଆମ ସଂସ୍କୃତିର ଏକ ଅଂଶ ବିଶେଷ ଥିଲା । କାଠର ଅଭାବ ଯୋଗୁଁ ବର୍ତ୍ତମାନର ପରିସ୍ଥିତିରେ ଏ ପରମ୍ପରା ବିଶେଷ ଭାବରେ ଦେଖିବାକୁ ମିଳୁନାହିଁ । ଗ୍ରାମାଞ୍ଚଳରେ ଅନେକ ଜାଗାରେ ଏବେବି ଏଭଳି ପରମ୍ପରା ପ୍ରଚଳିତ ଅଛି ।
ଆଜିକାଲି ସମୟରେ ଶବ ପୋଡିବା ପାଇଁ ସବୁଠି କାଠର ଅଭାବ । ଲୋକେ ଗ୍ୟାସ୍ରେ ରୋଷେଇ କରିବା ଯୋଗୁଁ ଆଉ କାଠ ଉପରେ ନିର୍ଭରଶୀଳ ନୁହନ୍ତି । ଗ୍ରାମ ଜଂଗଲ ଧ୍ୱଂସ । ଏଭଳି ପରିସ୍ଥିତିରେ ମରାକୁ କାଠ ଦେଇ ଅନନ୍ୟ ଉଦାହରଣ ସୃଷ୍ଟି କରୁଛନ୍ତି ପରିବେଶ ପ୍ରେମୀ ବାଦୁ ମିଶ୍ର । ତାଙ୍କର ପୁରା ନାମ ରମେଶ ପ୍ରସାଦ ମିଶ୍ର । ଘର କଣ୍ଟାମାଳ ବ୍ଲକ୍ ଗୁଡଭେଲିପଦର ଗ୍ରାମ ପଂଚାୟତର ବୁକୁରାମୁଣ୍ଡା ଗ୍ରାମରେ । ନିଜ ଜମିରେ ଓ ଜମି ହୁଡାରେ ପ୍ରାୟ ୨ ହଜାରରୁ ଅଧିକ ଶାଗୁଆନ୍, ଗମ୍ଭାରୀ ଓ ଶିଶ ଗଛ ନିଜସ୍ୱ ଶ୍ରମ ଓ ଅର୍ଥରେ ଲଗାଇ ଗୋଟିଏ ସୁସ୍ଥ ପରିବେଶର ବଳୟ ସୃଷ୍ଟି କରିପାରିଛନ୍ତି । ଝଡ ବାତ୍ୟା ଓ ବର୍ଷାରେ ଭାଙ୍ଗି ଯାଉଥିବା ଗଛ ଓ ଡାଳକୁ ସଂରକ୍ଷିତ ରଖନ୍ତି ରମେଶ ପ୍ରସାଦ । ନିଜ ଗାଆଁ ତଥା ଗୁଡଭେଲିପଦର୍ ଗ୍ରାମ ପଂଚାୟତର କେହି ଲୋକ ମୃତ୍ୟୁବରଣ କଲେ ଶବ ଦାହ ପାଇଁ କାଠ ମାଗିଲେ ମନା କରନ୍ତି ନାହିଁ । ଶବ ଦାହ ପାଇଁ ଯେତିକି କାଠ ଆବଶ୍ୟକ ଯିଏ ବି ଚାହିଁଲେ ନେଇ ପାରିବେ । ରମେଶ ପ୍ରସାଦ ଗତ ୫ ବର୍ଷ ମଧ୍ୟରେ ୨୨ ଗୋଟି ଶବର ଦାହ କର୍ମ ପାଇଁ କାଠ ଦେଇ ନିଜକୁ ଧନ୍ୟ ମନେ କରନ୍ତି ।
ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଂକା ଖର୍ଚ୍ଚ କରି ବନୀକରଣ କରି ଜଂଗଲ ସୃଷ୍ଟିରେ ସଫଳ ହୋଇ ପାରୁନଥିବା ବେଳେ ରମେଶ ମିଶ୍ର ନିଜ ଖର୍ଚ୍ଚ ଓ ନିଜ ଉଦ୍ୟମରେ ଯାହା କରିପାରିଛନ୍ତି ବାସ୍ତବିକ ପ୍ରଶଂସନୀୟ । ତତସହିତ ମରାକୁ କାଠ ଦେଇ ନିଜ ମଣିଷ ପଣିଆର ନିଦର୍ଶନ ପ୍ରତିପାଦନ କରି ପାରିଛନ୍ତି । ବିନା ଲୋଭ ଲାଳସା ଓ ତଥାକଥିତ ସମ୍ମାନ ଓ ପୁରସ୍କାରର ମୋହ ଠାରୁ ଉର୍ଦ୍ଧ୍ୱରେ ବଞ୍ଚୁଥିବା ବାଦୁ ମିଶ୍ରଙ୍କ ପରି ପରିବେଶ ପ୍ରେମୀ ଓ ଦରଦୀ ମଣିଷ ବାସ୍ତବରେ ଅନନ୍ୟ । ତାଙ୍କର ଏ ଅସାଧାରଣ କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ଏହା ନିଃସନ୍ଦେହ ।