ବୌଦ୍ଧ,୪/୧୧ – ଜାତୀୟ ରାଜପଥ ନମ୍ବର୍ ୫୭ ର ସୁବର୍ଣ୍ଣପୁର୍ ଜିଲ୍ଲା ଅର୍ଜୁନପୁର୍ ଛକ ନିକଟରେ ରାସ୍ତା କଡରେ ଥିବା ଗୋଟିଏ ଡ୍ରିଲର ଗାଡି ସହ କାର୍ ଧକ୍କା ହେବାରୁ ଜଣେ କାର୍ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଟେଲିଫୋନ କେବୁଲ କାମ କରୁଥିବା ଗୋଟିଏ ଡ୍ରିଲର ମେସିନକୁ ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିବା ଗୋଟିଏ କାର୍ ଧକ୍କା ଦେଇଥିଲା । ଫଳରେ କାରଟି ଦୁଇ ଫାଳ ହୋଇଯାଇଥିଲା । କାରରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ଜଣଙ୍କୁ ମୃତ ଘୋଷଣା କରିବା ସହ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ରେଫର କରିଥିଲେ । ମୃତକ ଜଣକ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ତିଲେଶ୍ୱର ଗ୍ରାମ ପଂଚାୟତ ତାକୁଡ୍ ଗ୍ରାମର ଶୁଭ୍ରାଂଶୁ ଜୋଶୀ (୨୫) ଓ ଆହତ ଜଣକ ବିକାଶ ରାୟ ବୋଲି ଜଣାପଡିଛି ।