ବୌଦ୍ଧ,୬/୧୧- ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଅଫିସ ତରଫରୁ ବୌଦ୍ଧ ଟାଉନହଲ ଠାରେ ଏକ ମେଗା ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଓ ଦୌରା ଜଜ୍ ବିକ୍ରମ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଏବଂ ଜିଲ୍ଲାର ମୁଖ୍ୟ ଅତିରିକ୍ତ ମୁଖ୍ୟ ପୋଲିସ ଅଧିକାରୀ ରବୀନ୍ଦ୍ର କୁମାର ରାଉତ ଉପସ୍ଥିତ ଥିଲେ । ଅନ୍ୟାନ୍ୟ ବିଚାରକ ଅଧିକାରୀଗଣ ଏବଂ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଗଣ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିଭିନ୍ନ ବିଭାଗ ତରଫରୁ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନାରେ ଆସୁଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ତତକ୍ଷଣାତ ଲାଭ ପ୍ରଦାନ କରିବା । ଏହି ସଭାରେ ପାଖାପାଖି ୩୦୦ରୁ ଉର୍ଦ୍ଧ୍ୱ ହିତାଧିକାରୀ ଯୋଗଦାନ ଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସଭା ପ୍ରାରମ୍ଭରେ ଜିଲ୍ଲାର ସଂଗୀତାୟନ ଗ୍ରୁପ ତରଫରୁ ରାଜ୍ୟ ଦେଶପ୍ରେମୀ ସଂଗୀତ – ” ବନ୍ଦେ ଉତ୍କଳ ଜନନୀ ” ଗାନ କରାଯାଇଥିଲା । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ହିତାଧିକାରୀ ମାନଙ୍କୁ ସେମାନଙ୍କ ଯୋଗ୍ୟ ଅନୁଯାୟୀ ବିଭିନ୍ନ ଯୋଜନାରେ ଲାଭ ପ୍ରଦାନ କରାଯାଇଥିଲା । ଏହା ପରେ ମା ପୂର୍ଣ୍ଣମାସୀ ବିବାହ ନିରୋଧ ଆଇନ, ପାରିବାରିକ ହିଂସାଠୁ ମହିଳା ମାନଙ୍କୁ ସୁରକ୍ଷା ଆଇନ, ଯୌତୁକ ନିର୍ଯ୍ୟାତନା, ଏସିଡ ଆଟାକ, ଶିଶୁ ମାନଙ୍କ ପାଇଁ ଥିବା ମୁକ୍ତ ଓ ବାଧ୍ୟତା ମୂଳକ ଶିକ୍ଷା ପ୍ରଦାନ ଆଇନ ଇତ୍ୟାଦି ଉପରେ ଏକ ପାଲା ନାଟ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହା ପରେ ଜିଲ୍ଲାର ବାବା ବୈଦ୍ୟନାଥ ସରକାରୀ ଉଚ୍ଚବିଦ୍ୟାଳୟ ତରଫରୁ ଛାତ୍ର ଛାତ୍ରୀ ମାନେ ଶିଶୁ ମାନଙ୍କୁ ଶିଶୁ ଶ୍ରମିକଠୁ କେମିତି ଦୂରେଇ ରଖିବା ତଥା ସେମାନଙ୍କୁ ଶିକ୍ଷା ପ୍ରଦାନ କରିବା ଉପରେ ଏକ ନାଟକ ପରିବେଷଣ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକରେ ଭାଗ ନେଇଥିବା ଗ୍ରୁପ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧର ସଚିବ ଚରଣଜିତ ଓରାମ ଧନ୍ୟବାଦ ଅର୍ପଣ କରିଥିଲେ । ବିଭିନ୍ନ ବିଭାଗ ତରଫରୁ ଷ୍ଟଲ କରାଯାଇ ଲୋକମାନଙ୍କୁ ଲିଫଲେଟସ ଏବଂ ସରକାରୀ ଯୋଜନା ପତ୍ର/ତଥ୍ୟ ବଣ୍ଟନ କରାଯାଇଥିଲା । ଆଜିର ଏହି ସଭାରେ ବହୁ ଓକିଲ, ସାମ୍ବାଦିକ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଗଣ ଉପସ୍ଥିତ ଥିଲେ ।