ବର୍ଷା ହେଲେ ପୁଣି ପୋତି ହେବ ସାଲୁଙ୍କି କେନାଲ !

ବୌଦ୍ଧ,୪/୭- ମୌସୁମୀ ଆସିଯାଇଥିବାରୁ ସାଲୁଙ୍କି କେନାଲର ପୁନଃରୁଦ୍ଧାର କାର୍ଯ୍ୟ ବିଭିନ୍ନ ଅଞ୍ଚଳରେ ଚାଲିଛି । କେନାଲ ମଧ୍ୟରେ ଥିବା ମାଟି ବାଲି ଆଦିକୁ ବାହାରକରି ପାଣି ଯିବାପାଇଁ ବୌଦ୍ଧ ଜଳସେଚନ ବିଭାଗ ପକ୍ଷରୁ ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ଖର୍ତ୍ତ କରାଯାଇଥାଏ । ପ୍ରତିବର୍ଷ ଏହିକାମ ମୌସୁମୀ ସମୟରେ ଚାଲୁଥିଲେ ମଧ୍ୟ ତଳମୁଣ୍ଡକୁ ବୈଷୟିକ ତ୍ରୁଟି ଯୋଗୁଁ ପାଣି ପହଞ୍ଚି ପାରୁନଥିବା ଚାଷୀମାନେ ଅଭିଯୋଗ କରିଥାନ୍ତି । ବର୍ତ୍ତମାନ ବାମଣ୍ଡା ଗ୍ରାମପଞ୍ଚାୟତର ନାଏକପଡା ଗ୍ରାମରେ ମାଟି/ବାଲି ଉଦ୍ଧାର କାମ ଚାଲିଛି । କେନାଲ ମଧ୍ୟରୁ ଉଦ୍ଧାର ହେଉଥିବା ମାଟି/ବାଲି ଓ ଆବର୍ଜନାକୁ ନିରାପଦ ଦୂରତାକୁ ନଫିଙ୍ଗି ସେହି କେନାଲ ହୁଡା ପାଶ୍ୱର୍ରେ ହିଁ ପକାଇ ଦିଆଯାଉଛି । ଫଳରେ ବର୍ଷାହେଲେ ବାହାର କରାଯାଇଥିବା ମାଟି ବାଲି ପୁଣି କେନାଲ ମଧ୍ୟକୁ ଖସିଆସିବ ଓ କେନାଲ ପୋତିହୋଇଯିବ । ଯେତେବେଳେ କେନାଲରେ ଅଧିକ ଜଳ ଛଡାଯିବ ଏସବୁ ଜିନିଷ ସେହି ଜଳରେ ଭାସି ତଳମୁଣ୍ଡରେ କେନାଲକୁ ପୁଣି ପୋତି ପକାଇବ । ଏଭଳି ଅପରିଣାମଦର୍ଶୀ କାର୍ଯ୍ୟଦ୍ୱାରା ଜଳସେଚନ ବିଭାଗର ଲକ୍ଷଲକ୍ଷ ଟଙ୍କା ପ୍ରତିବର୍ଷ କ୍ଷତିହେବା ସହ ତଳମୁଣ୍ଡକୁ ଜଳ ପ୍ରବାହିତ ହେବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଜଳସେଚନ ବିଭାଗ ଏ ଦିଗରେ ଚିନ୍ତାକରି ବିହିତ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହେଉଛି ।

Comments (0)
Add Comment