ବୌଦ୍ଧଜିଲ୍ଲା କିଷାନ ସଂଘ ତରଫରୁ ପ୍ରଶିକ୍ଷଣ ଶିବିର

ବୌଦ୍ଧ,୧୦/୧୧: ଆଜି ଭାରତୀୟ କିଷାନ ସଂଘ ବୌଦ୍ଧ ଜିଲ୍ଲା ଶାଖା ତରଫରୁ ସ୍ଥାନୀୟ ଆଦର୍ଶ କୃଷିବଜାର ପ୍ରାଙ୍ଗଣରେ ସଂଘର ସଭାପତି ସୂର୍ଯ୍ୟନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବଭାରତୀୟ ସ୍ତରରେ ଉତ୍ତର ପୂର୍ବାଞ୍ଚଳର ସଂଗଠନ ସଂପାଦକ ଶ୍ରୀନିବାସ ଜୀ, କେନ୍ଦ୍ର କାର୍ଯ୍ୟକାରିଣୀ ସଦସ୍ୟ କେଦାରନାଥ ମିଶ୍ର, ରାଜ୍ୟ ସଂଗଠନ ସହସଂପାଦକ ବିଶିକେଶନ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାକୃଷ୍ଣ ମେହେର ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ । ଏଥିରେ ସଂଘର ସଂଗଠନ, କାର୍ଯ୍ୟ ଓ ଭବିଷ୍ୟତର କାର୍ଯ୍ୟପନ୍ଥା ବିଷୟରେ ବିଶଦଭାବେ ଆଲୋଚନା କରାଯାଇଥିଲା । ପ୍ରତି ଗ୍ରାମରେ ଗୋଟିଏ ଲେଖାଏଁ ଗ୍ରାମ୍ୟ କମିଟି ଗଠନକରି ସଂଘକୁ କିପରି ଦୃଢୀଭୂତ କରିବା, ସଂଘର କର୍ମକର୍ତ୍ତା ପ୍ରତି ଗାଆଁକୁ ଯାଇ ଚାଷୀଙ୍କ ସମସ୍ୟା ଅନୁଧ୍ୟାନ କରି ଶାସନ ଓ ପ୍ରଶାସନ ନିକଟରେ ତାହାପହଞ୍ଚାଇବା ପାଇଁ ପ୍ରସ୍ତାବ ପାରିତ ହେଲା । ଆସନ୍ତା ଡିସେମ୍ବର ୧୯ ତାରିଖରେ ଦିଲ୍ଲୀରେ ହେବାକୁ ଥିବା କିଷାନ ଗର୍ଜନ ସମାବେଶରେ ବୌଦ୍ଧ ଜିଲ୍ଲାରୁ ପ୍ରାୟ ୯୦ ଜଣ ଚାଷୀ ଦିଲ୍ଲୀ ଯିବେ । ୧) ଚାଷୀକୁ ନ୍ୟୁନତମ ସହାୟକ ମୂଲ୍ୟ ପରିବର୍ତ୍ତେ ଫସଲର ଲାଭଦାୟକ ମୂଲ୍ୟ ପ୍ରଦାନ କରିବା ୨) ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିକୁ ବୃଦ୍ଧି କରିବା ୩) କୃଷି ଯନ୍ତ୍ରପାତି, ସାର, ବିହନ ଓ ଔଷଧ ଆଦିରୁ ଜିଏସଟି ପ୍ରତ୍ୟାହାର କରିବା ୪) ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଆମଦାନୀ ଓ ରପ୍ତାନୀ ନୀତିକୁ ପରିବର୍ତ୍ତନ କରିବା ଆଦି ସଂଘର ଦାବି ଗୁଡିକୁ ସର୍ବଭାରତୀୟ ସ୍ତରରେ କେନ୍ଦ୍ରସରକାରଙ୍କୁ ପ୍ରଦାନ କରାଯିବ । ବୌଦ୍ଧଜିଲ୍ଲାରେ ସାଲୁଙ୍କି ନଦୀରେ ଗୁରୁଜୀମୁଣ୍ଡା(ଗମ୍ଭୀରାଦର୍‌ହ) ଠାରେ ଓ ଖଡଙ୍ଗ ନଦୀର ସାଡାଙ୍ଗ ଠାରେ ଜଳଭଣ୍ଡାର ନିର୍ମାଣ, ଧଳପୁର, ରାମଗଡ ଓ ସାଂପୋଚ ଆଦି ସ୍ଥାନ ମାନଙ୍କରେ ମହାନଦୀ କୂଳରେ ବୃହତ ଉଠାଜଳସେଚନ ପ୍ରକଳ୍ପ କରିବା, ଫସଲହାନିର ବୀମାରାଶି ଜିଲ୍ଲା ପ୍ରଶାସନର ଅନୁରୋଧ ସତ୍ତେ୍ୱ ବୀମାକଂପାନୀ ଚାଷୀଙ୍କୁ ବୀମାରାଶି ପ୍ରଦାନ ନକରିବା ଇତ୍ୟାଦି ଦାବିରେ ୨୦୨୩ ପେବୃଆରୀ ମାସରେ ସଂଘ ତରଫରୁ ତୁମୁଳ ଆନ୍ଦୋଳନ କରିବାପାଇଁ ପ୍ରସ୍ତାବ ଗ୍ରହଣ କରାଗଲା । ଏହି ପ୍ରଶିକ୍ଷଣ ଶିବିରରେ ସଫଳ ଜୈବିକ କୃଷିଚାଷୀ ସତ୍ୟାନନ୍ଦ ସାହୁଙ୍କୁ ସମ୍ମାନୀତ କରାଯାଇଥିଲା । ଶିବିରରେ ଦୁତିବାହନ କଂପ, ଭୋଳାଗିରି ସାହୁ, ଚକସ୍‌ ମହାକୁଡ, ଗୋପାଲଜୀ ଦାଶ, ପ୍ରକାଶ ଚନ୍ଦ୍ର ଦାସ, ନବକୁମାର ପ୍ରଧାନ, କାଳନ୍ଦୀ କ୍ଷେତି, ଲବ କିଶୋର ପ୍ରଧାନ, ନବୀନ ପ୍ରଧାନ, ଆରତ ଧଳ, ବୈକୁଣ୍ଠ ପ୍ରଧାନ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Comments (0)
Add Comment