ଭିଜିଲାନ୍ସ ଜାଲରେ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ

ବୌଦ୍ଧ,୨୫/୧୧:- ପନ୍ଦର ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବୌଦ୍ଧ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ମଦନ ମୋହନ ପ୍ରଧାନଙ୍କୁ ଧରିଛି ଭିଜିଲାନ୍ସ ବିଭାଗ । ସୂଚନା ମୁତାବକ ବୌଦ୍ଧ ନୂଆସାହିରେ ଅବସ୍ଥିତ ବୈଜୟନ୍ତୀ ଆଗ୍ରୋ ମେସିନରୀର ମାଲିକ ସପ୍ନେଶ୍ୱର ଖୁଣ୍ଟିଆ ତାଙ୍କର ସେଲସମ୍ୟାନ ମନୋଜ କୁମାର ପ୍ରଧାନ ୩ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ କରିଥିଲେ । ଥାନାରୁ ନ୍ୟାୟ ନପାଇ ଶ୍ରୀ ଖୁଣ୍ଟିଆ ବୌଦ୍ଧ ଏସ ଡି ଜେ ଏମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଗତ ଅଗଷ୍ଟ ୨୯ ତାରିଖରେ କୋର୍ଟରେ ମାମଲା ପଞ୍ଜିକୃତ ହୋଇଥିବା ବେଳେ କୋର୍ଟର ନିର୍ଦ୍ଦେଶରେ ବୌଦ୍ଧ ଥାନାରେ ଅକ୍ଟୋବର ୧୬ ତାରିଖରେ କେସ ନଂ ୩୧୩/୨୨ ରେ ମାମଲା ପଞ୍ଜିକୃତ ହୋଇଥିଲା । ବୌଦ୍ଧ ଥାନାଧିକାରୀଙ୍କ ନିର୍ଦ୍ଦେଶ ପ୍ରକାରେ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ ଏଏସଆଇ ମଦନ ମୋହନ ପ୍ରଧାନ ଏହି ମାମଲା ତଦନ୍ତ କରୁଥିଲେ । ଠିକ ଭାବେ ମାମଲା ତଦନ୍ତ କରିବାପାଇଁ ଫାଣ୍ଡି ଅଧିକାରୀ ଶ୍ରୀ ପ୍ରଧାନ ଅଭିଯୋଗକାରୀଙ୍କ ଠାରୁ ୧୫ ହଜାର ଟଙ୍କା ଦାବି କରୁଥିଲେ । ଏନେଇ ଅଭିଯୋଗକାରୀ ବୌଦ୍ଧ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିବାପରେ ଆଜି ଭିଜିଲାନ୍ସ ବିଭାଗ ପୂର୍ବପ୍ରସ୍ତୁତି ଅନୁଯାୟୀ ଜଗି ରହିଥିଲେ । ଫାଣ୍ଡି ଅଧିକାରୀ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅବସ୍ଥାରେ ନଗଦ ଟଙ୍କା ଜବତ କରିବା ସହ ଏ ଏସ ଆଇ ପ୍ରଧାନଙ୍କୁ ଗିରଫ କରିଥିଲା । ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ କେସ ନଂ ୨୭/୨୨ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବୌଦ୍ଧ ମାଉଲସିଙ୍ଗା ସ୍ଥିତ ବାସଗୃହ ତଥା ଜି ଉଦୟଗିରି ବାଲୁପଙ୍ଗା ସ୍ଥିତ ଗୃହରେ ମଧ୍ୟ ଚଢ଼ାଉ କରାଯାଇଥିବା ଭିଜିଲାନ୍ସ ଡିଏସପି ଅରୁଣ କୁମାର ନାଏକ ପ୍ରକାଶ କରିଛନ୍ତି । ଭିଜିଲାନ୍ସ ଡିଏସପିଙ୍କ ନେତୃତ୍ୱରେ ଇନିସପେକ୍ଟର ଜଗବନ୍ଧୁ ଅଙ୍ଗାରିଆ, ଇନିସପେକ୍ଟର ପ୍ରଫୁଲ୍ଲ ପ୍ରଧାନ, ଏ ଏସ ଆଇ ପ୍ରତାପ କୁମାର ଶତପଥି ଏବଂ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ଥିଲେ ।

Comments (0)
Add Comment