ବାଉଁଶୁଣୀରେ ଟି.ଏମ.ସି. କେନ୍ଦ୍ର ଖୋଲିବାକୁ ଦାବି

ବୌଦ୍ଧ/ବାଉଁଶୁଣୀ,୪/୫- ବୌଦ୍ଧ ଜିଲ୍ଲାରେ ଦିନକୁଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ବାଉଁଶୁଣୀ ଅଞ୍ଚଳରେ କରୋନା ବୃଦ୍ଧି ପାଇବା ଯୋଗୁଁ ବାଉଁଶୁଣୀରେ ଟି.ଏମ.ସି. ଖୋଲିବାକୁ ଦାବି ହେଉଛି । ଆକ୍ରାନ୍ତ ବ୍ୟକ୍ତି ଘରୋଇ ସଙ୍ଗରୋଧରେ ରହିବା କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେବା ସହିତ ସଂକ୍ରମଣର ଅନ୍ୟତମ କାରଣ ବୋଲି ମତପ୍ରକାଶ ପାଇଛି । ତୁରନ୍ତ ଟି.ଏମ.ସି. ଗୁଡିକ କାର୍ଯ୍ୟକ୍ଷମ କରାଯାଇ ଆକ୍ରାନ୍ତଙ୍କୁ ସେଠାରେ ରହିବା ସୁବିଧା କରାଗଲେ ଗ୍ରାମାଞ୍ଚଳ ସଂକ୍ରମଣ କମିଯାଆନ୍ତା ବୋଲି କୁହାଯାଉଛି । ଗତବର୍ଷ ସମସ୍ତ ପଞ୍ଚାୟତରେ ଟି.ଏମ.ସି. କେନ୍ଦ୍ର ଖୋଲାଯାଇଥିଲା ହେଲେ ଗତ ବର୍ଷ କରୋନା ସେତେ ଭୟଙ୍କର ନ ଥିଲା କିନ୍ତୁ ଏବର୍ଷ କରୋନାର ଦ୍ୱିତୀୟ ଲହର ଅତି ଭୟଙ୍କର ଅଛି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆଜି ପର୍ଯ୍ୟନ୍ତ କୈାଣସି ପଞ୍ଚାୟତରେ ଟି.ଏମ.ସି. କେନ୍ଦ୍ର ବ୍ୟବହାର କରାଯାଉ ନାହିଁ । ସେହିପରି ଗତବର୍ଷ ଜଣେ କରୋନା ପଜିଟିଭ ଚିହ୍ନଟ ହେଲେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଯେତିକି ତତ୍ପରତା ପ୍ରକାଶ କରୁଥିଲା ଚଳିତ ବର୍ଷ ସେତିକି ତତ୍ପରତା ଦେଖିବାକୁ ମିଳୁନାହିଁ ବୋଲି ଜନସାଧାରଣରେ ଆଲୋଚନା ହେଉଛି । ଏଥିପ୍ରତି ବୌଦ୍ଧ ଜିଲ୍ଲାପାଳ ତୁରନ୍ତ ବାଉଁଶୁଣୀ ତଥା ସମସ୍ତ ପଞ୍ଚାୟତରେ ଟି.ଏମ.ସି. କେନ୍ଦ୍ର ଖୋଲି ଆକ୍ରାନ୍ତଙ୍କୁ ସେଠାରେ ରଖିବାକୁ ଜନସାଧାରଣରେ ଦାବି ହେଉଛି ।

Comments (0)
Add Comment