ବୌଦ୍ଧ,୧୬/୯: ବୌଦ୍ଧ ଆଇଟିଆଇର ଛାତ୍ରୀ ଶୁଭଶ୍ରୀ ପ୍ରଧାନ ୨୦୨୦-୨୨ ଶିକ୍ଷାବର୍ଷର ପରୀକ୍ଷାରେ ଟେକ୍ସଟାଇଲ ୱେଟ ପ୍ରୋସେସିଙ୍ଗ ଟେକନିସିୟାନ ଟ୍ରେଡ୍ରେ ରାଜ୍ୟ ତଥା ଜାତୀୟସ୍ତରରେ ଟପ୍ପର ହୋଇଥିବା ଜଣାପଡିଛି । ମୋଟ୍ ୧୩୦୦ ନମ୍ବରରୁ ୧୧୫୫ ନମ୍ବର ଅର୍ଥାତ୍ ୮୮. ୮୫ ପ୍ରତିଶତ ନମ୍ବର ପାଇ ସେ ଏହି କୃତିତ୍ୱ ହାସଲ କରିଛନ୍ତି । ସେଥିପାଇଁ ବୌଦ୍ଧ ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଅବିନାଶ ମିଶ୍ର, ତାଲିମ୍ ଅଧିକାରୀ ସୁବୋଧ ପାଣିଗ୍ରାହୀ, ସମ୍ପୃକ୍ତ ଟ୍ରେଡ୍ର ସହକାରୀ ତାଲିମ୍ ଅଧିକାରୀ ଦେବେନ୍ଦ୍ର ନାଥ ବେହେରା, ସୁଧାଂଶୁ ଶେଖର ମହାକୁଡ ଓ ସହପାଠୀମାନେ ଅଭିନନ୍ଦନ ଜଣାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧଜିଲ୍ଲା ବଘିଆପଡ଼ା ଗ୍ରାମ ପଞ୍ଚାୟତ ସାଲେଇସିଂ ଗ୍ରାମର ସୁରେନ୍ଦ୍ର ପ୍ରଧାନଙ୍କ ଝିଅ ଶୁଭଶ୍ରୀ ପ୍ରଧାନ ଗୌଡ଼ଦେଇ ଠାରେ ଥିବା ବୌଦ୍ଧ ଜିଲ୍ଲା ଶିଳ୍ପ ତାଲିମ ପ୍ରତିଷ୍ଠାନରେ ଶିକ୍ଷା ଗ୍ରହଣ କରି ଦ୍ୱିତୀୟ ତଥା ଶେଷ ବର୍ଷର ପରୀକ୍ଷା ଦେଇଥିଲେ । ଶୁଭଶ୍ରୀ ରାଜ୍ୟସ୍ତରରେ ସର୍ବୋଚ୍ଚ଼ ନମ୍ବର ପାଇ ଟପ୍ପର ହୋଇଥିବାବେଳେ ସେ ସର୍ବଭାରତୀୟ ସ୍ତରରେ ମଧ୍ୟ ସମ୍ପୃକ୍ତ ଟ୍ରେଡରେ ସର୍ବୋଚ୍ଚ଼ ନମ୍ବର ପାଇଥିବା ଯୋଗୁୁଁ ଜାତୀୟ ସ୍ତରର ଟପ୍ପର ହୋଇଛନ୍ତି । ଶୁଭଶ୍ରୀ ତାଙ୍କର ଏହି ସଫଳତା ଶ୍ରେୟ ବୌଦ୍ଧ ଜିଲ୍ଲା ଶିଳ୍ପ ତାଲିମ ପ୍ରତିଷ୍ଠାନର ଶିକ୍ଷକ ଓ ଅଧ୍ୟକ୍ଷ ଓ ନିଜ ପିତାମାତାଙ୍କୁ ଦେଇଛନ୍ତି ।