ବୌଦ୍ଧ,୨୦/୯:- ସମଗ୍ର ପଶ୍ଚିମ ଓଡିଶା ଆଜି ପାଳନ କରୁଛି କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ଏହି ଅବସରରେ ଆଜି ବୌଦ୍ଧ ଜିଲ୍ଳା ପୁରପଲ୍ଲୀ ଉତ୍ସବ ମୁଖର ଓ ଚଳଚଞ୍ଚଳ ହୋଇପଡିଛି । ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ପୀଠରେ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ସକାଳ ୮ ଟାରେ ନବାନ୍ନ ଲାଗି କରାଯାଇଛି । ପୂଜକ ମହାନଦୀରେ ପୂଜାର୍ଚ୍ଚନା କରିିବାପରେ ମହାନଦୀର ପବିତ୍ର ଜଳକୁ କଳସରେ ଏକ ଶୋଭାଯାତ୍ରାରେ ଅଣାଯାଇ ଦେବୀଙ୍କ ପାଇଁ ନବାନ୍ନ ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟ ପୂଜକ ଗୌରୀ ପ୍ରସାଦ ବଡମାଳି, ପାଳିଆ ପୂଜକ ସାନନ୍ଦ ବଡମାଳି ବିଧି ନିୟମ ପ୍ରକାରେ ସ୍ୱତନ୍ତ୍ର ପୂଜା କରିବା ପରେ ପ୍ରଥମେ ମା ଭୈରବୀଙ୍କ ଠାରେ ନବାନ୍ନ ଲାଗି କରିଥିଲେ । ପରେ ପରେ ପାଶ୍ୱର୍ ଦେବାଦେବୀ ମାନଙ୍କୁ ନବାନ୍ନ ଅର୍ପଣ କରାଯାଇଥିଲା ।
ଭୈରବୀଙ୍କ ଠାରେ ମହାଆଳତି କରିବା ପରେ ଭକ୍ତ ମାନେ ସାମୁହିକ ଭାବେ ଦେବୀଙ୍କ ନବାନ୍ନ ସେବନ କରିଥିଲେ । ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀଙ୍କ ପାଖରେ ନବାନ୍ନ ଲାଗି ହେବାପରେ ସହର ତଥା ପୁରପଲ୍ଲୀରେ ସମସ୍ତ ଜିଲ୍ଲାବାସୀ ନିଜ ନିଜ ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଲାଗି କରିବା ସହିତ ପରିବାର ସହିତ ଏକାଠି ନୂଆ ଖାଇଛନ୍ତି । ନୂଆଖାଇବା ପରେ ପରଂପରା ଅନୁଯାୟୀ ସାନମାନେ ବଡମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ । ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ନୂଆଖାଇ ଭେଟ୍ଘାଟ୍ର ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।