ବୌଦ୍ଧ,୮/୮:– ଆଜି କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧର ପୁସ୍ତକାଳୟ କକ୍ଷରେ ବିଦ୍ୟାଳୟ ପ୍ରବନ୍ଧନ ସମିତିର ଚଳିତ ଶିକ୍ଷାବର୍ଷର ପ୍ରଥମ ବୈଠକ ବୌଦ୍ଧ ଜିଲ୍ଲାପାଳ ତଥା ବିଦ୍ୟାଳୟ ପ୍ରବନ୍ଧନ ସମିତି ଅଧ୍ୟକ୍ଷ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଦରିଦ୍ର ଭଞ୍ଜନ ମଦନ ମୋହନ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧକାରୀ ଜୟକୃଷ୍ଣ ମିଶ୍ର, ଜବାହାର ନବୋଦୟ ବିଦ୍ୟାଳୟର ଉପାଧ୍ୟକ୍ଷ ସୁରେଶ କୁମାର ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର ଉପସ୍ଥିତ ଥିଲେ । ବୈଠକ ପ୍ରାରମ୍ଭରେ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ରାଜଲକ୍ଷ୍ମୀ ବିଶ୍ୱାଳ ସମିତି ସଦସ୍ୟ ମାନଙ୍କୁ ସ୍ୱାଗତ କରିବାସହ ବିଗତ ପ୍ରବନ୍ଧନ ସମିତି ବୈଠକ ବିବରଣୀ ଆଲୋଚନା କରିବାସହ ପୂର୍ବ ଶିକ୍ଷା ବର୍ଷରେ ସି.ବି.ଏସ୍.ଇ ବୋର୍ଡ ପରୀକ୍ଷାରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଉତ୍ତମ ସଫଳତା ଉପରେ ଆଲୋକପାତ କରିଥିଲେ । ବୈଠକରେ ବିଦ୍ୟାଳୟ ଖେଳ ପଡିଆର ଉନ୍ନତିକରଣ, ବିଦ୍ୟାଳୟ ସମ୍ମୁଖଭାଗ ସ୍ୱଚ୍ଛତା, ବନ୍ୟା କ୍ଷତିଗ୍ରସ୍ଥ ବିଦ୍ୟାଳୟ ପାଚେରୀ କଡରେ ବନ୍ୟାରୋଧି କଂକ୍ରିଟ ସ୍ଲାବ ନିର୍ମାଣ, ୧୧ କେ.ଭି ବିଦ୍ୟୁତ ଲାଇନ୍ର ସ୍ଥାନାନ୍ତରଣ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଓଡିଆ ବହି ଯୋଗାଣ ପ୍ରଭୃତି ପ୍ରସ୍ତାବ ଗୁଡିକ ଉପରେ ଆଲୋଚନା ହୋଇଥିଲା । ବିଦ୍ୟାଳୟ ସମିତି ଅଧ୍ୟକ୍ଷ ପ୍ରସ୍ତାବ ଗୁଡିକ ସମ୍ବନ୍ଧରେ ଆଲୋଚନା କରି ସଂପୃକ୍ତ ବିଭାଗ ଗୁଡିକୁ ନିର୍ଦ୍ଦେଶ ଦେବାପାଇଁ ପ୍ରତିଶୃତି ଦେଇଥିଲେ । ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧକାରୀ ଛାତ୍ରଛାତ୍ରୀଙ୍କ ଲିଖନ ଅଭ୍ୟାସ ଉନ୍ନତି ଓ କ୍ୟାରିୟର କାଉନସେଲିଂର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ତାହାର କାର୍ଯ୍ୟକାରିତା ଉପରେ ପ୍ରସ୍ତାବ ଦେଇଥିଲେ । ଅଭିଭାବକ ସଦସ୍ୟା ଶ୍ରୀମତୀ ଶୁଭ୍ରସ୍ମିତା ଶ୍ରେଣୀ କକ୍ଷରେ ସହଶୈକ୍ଷିକ କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରସ୍ତାବ ଦେଇଥିଲେ । ଅଭିଭାବକ ସଦସ୍ୟ ଶ୍ରୀଯୁକ୍ତ ମୀନକେତନ ଦାସ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟର ଉନ୍ନତିନିମିତ୍ତ ଆଧ୍ୟାତ୍ମବୋଧ ଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ କରିବାପାଇଁ ପ୍ରସ୍ତାବ ଦେଇଥିଲେ । ଶେଷରେ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ରାଜଲକ୍ଷ୍ମୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।