ବୈାଦ୍ଧ: ସରକାର ମାତୃଗର୍ଭରୁ ମଶାଣୀ ଯାଏଁ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଖଞ୍ଜି ଦେଇଥିବାର ଡିଣ୍ଡିମ ପିଟୁଥିବାବେଳେ ସବୁ ସାମାଜିକ ଯୋଜନାରୁ ବଞ୍ଚିତ ରହିଥିବା ଅସହାୟ ବୃଦ୍ଧ ଦଂପତ୍ତି ଆମଜିଲ୍ଲାରେ ଥିବା ଶୁଣିଲେ ଆପଣ କାନକୁ ବିଶ୍ୱାସ କରିବେନି । ଏଭଳି ଏକ ବୃଦ୍ଧ ଦଂପତ୍ତି ବାସ କରୁଛନ୍ତି ବୌଦ୍ଧବ୍ଲକ ବଢିଗାଁ ଗ୍ରାମପଞ୍ଚାୟତର ବଲାସିଙ୍ଗା ଗ୍ରାମରେ । ବଲାସିଙ୍ଗା ଜିଲ୍ଲାର କୌଣସି ଉପାନ୍ତ ଗ୍ରାମ ନୁହେଁ ବରଂ ବୌଦ୍ଧଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୫କି.ମି ଦୂରରେ ଜାତୀୟ ରାଜପଥ ନଂ ୫୭ର ପାଶ୍ୱର୍ରେ ରହିଛି । ଖାଲି ସେତିକି ନୁହେଁ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଉଥିବା ବ୍ଲକ ଓ ଡିଆରଡିଏ କାର୍ଯ୍ୟାଳୟ ଠାରୁ ବଲାସିଙ୍ଗାର ଦୂରତା ମାତ୍ର ୧କି.ମି । ସେଭଳି ସ୍ଥାନରେ ରୁଗ୍ଣ, ଅସହାୟ, ବୃଦ୍ଧ ଦଂପତ୍ତି କୌଣସି ସରକାରୀ ଯୋଜନାର ହିତାଧିକାରୀ ନଥିବା ଶୁଣିଲେ ନିଶ୍ଚିତ ଲଜ୍ୟା ହିଁ ଲାଗିବ । ବଲାସିଙ୍ଗା ଗ୍ରାମରେ ବାସ କରୁଥିବା ବେଣୁଧର ନାଏକ ଓ ତାଙ୍କ ସ୍ତ୍ରୀ ଲଳିତାଙ୍କ କଥା କହୁଛୁ ।
ବେଣୁଧରଙ୍କ ବୟସ ୬୫ ଓ ଲଳିତାଙ୍କ ୬୦ରୁ ଉର୍ଦ୍ଧ୍ୱ ହେବ । ଏକ ନୂଆଁଣିଆ ଚାଳଘରେ ପଲିଥିନ ଢାଙ୍କି କର୍ମକୁ ଆଦରି ପଡିରହିଛନ୍ତି ଦଂପତ୍ତି । ଏକମାତ୍ର ପୁତ୍ର ବିବାହପରେ ସ୍ତ୍ରୀ ଓ ପିଲାଛୁଆ ଧରି ତା ଶ୍ୱଶୁରଘରକୁ ଚାଲିଯିବା ପରେ ଏମାନେ ଏକାକୀ ପଡିରହିଛନ୍ତି । ସେବାଶୁଶ୍ରୁଷା କରିବାକୁ କେହିନାହିଁ । ଉଭୟେ ଜରାଗ୍ରସ୍ତ । ଲଳିତା ମୂଲଦୁଃଖ କରି ଉଭୟଙ୍କ ପାଇଁ ଆହାର ମୁଠେ କଷ୍ଟେମଷ୍ଟେ ଯୋଗାଡ କରୁଥିଲେ । ତାଙ୍କର ଗୋଡ ଭାଙ୍ଗିଯାଇଥିବାରୁ ଗୋଡରେ ଲାଗିଛି ଲୁହାରଡ୍ । ବେଣୁଧର ମଧ୍ୟ ଅକ୍ଷମ । ସାହିପଡିଶା ଲୋକଙ୍କ ସହାୟତାରେ ପେଟକୁ ଯାଏ ଲୁଣପଖାଳ ମୁଠେ । ଜାତୀୟ କିମ୍ବା ରାଜ୍ୟ ସରକାରଙ୍କ ଖାଦ୍ୟ ନିରାପତ୍ତା ଯୋଜନାର ପଡିକାର୍ଡ ମିଳିନଥିବାରୁ ତାଙ୍କୁ ମାସିକ ୫କେଜି ଟଙ୍କାକିଆ ଚାଉଳ ମଧ୍ୟ ମିଳେନାହିଁ । ଉଭୟଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ଆଧାରକାର୍ଡ ନଥିବାଯୋଗୁଁ ଭତ୍ତା ପାଇବାରୁ ବଞ୍ଚିତ । ବିପଦପୂର୍ଣ୍ଣ ଭାବରେ ଜରି ପଲିଥିନ ଘୋଡାଇ ଭଙ୍ଗାଦଦରା କୁଡିଆ ମଧ୍ୟରେ ରହୁଥିଲେ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ଯୋଜନା ତାଙ୍କ ପାଖରେ ଅପହଞ୍ଚ ।
ଦାରିଦ୍ର୍ୟତା ଓ ନିରକ୍ଷରତା ଯୋଗୁଁ ସରକାରୀ ଯୋଜନା ହାତେଇ ପାରିବାର କଳାକୌଶଳ ପ୍ରାପ୍ତ କରିବାରେ ଅକ୍ଷମ । ଯେତେ ଆକୁଳ ନିବେଦନ କଲେବି ଦାୟିତ୍ୱରେ ଥିବା ଅଧିକାରୀଙ୍କ କର୍ଣ୍ଣ ଗହ୍ୱରକୁ ଶୁଭିପାରୁନାହିଁ ଏମାନଙ୍କର ସ୍ୱର । ହତାଶା ମଧ୍ୟରେ ମୃତ୍ୟୁକୁ ଅପେକ୍ଷାକରି ଦିନ କାଟୁଛନ୍ତି ବୃଦ୍ଧଦଂପତ୍ତି ବେଣୁଧର ଓ ଲଳିତା । ଦେଖାଯାଉ କେବେ ଏମାନଙ୍କର ଦୁଃଖ ବୁଝିବେ ସାମାଜିକ ଯୋଜନା ଗୁଡିକର ଲମ୍ବାତାଲିକା ଧରି କାର୍ଯ୍ୟକାରୀ କରୁଥିବା ସମାଜର ବଡପଣ୍ଡାମାନେ କେବେ ଦୂର ହେବ ଏ ଅସହାୟ ବୃଦ୍ଧ ଦଂପତ୍ତିଙ୍କର ରୋଗ, ଦୁଃଖ, ନିରାଶା ଓ ହତାଶାର ବୋଝ ।