ନଳକୂପର ମରାମତି ଓ ଚାନ୍ଦିନୀ ନିର୍ମାଣ ପାଇଁ ଦାବି

ବୌଦ୍ଧ/ବାଉଁଶୁଣୀ- ବୌଦ୍ଧବ୍ଲକ ବାଉଁଶୁଣୀ ଗ୍ରାମପଞ୍ଚାୟତ ବାଉଁଶୁଣୀ ଛକରୁ ଗୁନ୍ଦୁଳିଆ ରୋଡ଼ରେ ଥିବା ନଳକୂପଟି ଦୀର୍ଘଦିନରୁ ଅଚଳ ହୋଇପଡିଛି । ଏଥିସହିତ ଡ୍ରେନପାଣି ଆସି ନଳକୂପର ଚତୁଃପାଶ୍ୱର୍ରେ ଜମି ଆବର୍ଜନାମୟ ପରିବେଶ ସୃଷ୍ଟି କରୁଛି । ଏହି ନଳକୂପ ଉପରେ ଅନେକ ଲୋକ ନିର୍ଭର କରିଥାନ୍ତି । ବାଉଁଶୁଣୀ ଅଞ୍ଚଳରେ ପାଣି ସମସ୍ୟା ବର୍ଷ ସାରା ଲାଗିରହିଛି । ଅଚଳ ନଳକୂପ ସଚଳ କରିବାକୁ ରାଜ୍ୟ ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବାବେଳେ ଏଅଞ୍ଚଳର ସମସ୍ୟା ପ୍ରତି କେହି ଧ୍ୟାନ ଦେଉନଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣବନ୍ଧୁ ପ୍ରଧାନଙ୍କୁ ପଚାରିବାରୁ ଏହା ବ୍ଲକ କାମ ବୋଲି କହିଛନ୍ତି । ବାଉଁଶୁଣୀ ସରପଞ୍ଚଙ୍କୁ ଏନେଇ ଜଣାଇଥିଲେ ମଧ୍ୟ ସରପଞ୍ଚ ଦୃଷ୍ଟିଦେଉନଥିବା ଅଭିଯୋଗ ହେଉଛି । କରୋନାର ଦ୍ୱିତୀୟ ଲହର ପାଇଁ ପ୍ରତି ପଞ୍ଚାୟତରେ ସରକାର ସରପଞ୍ଚ ଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି ହେଲେ ଏହି ପଞ୍ଚାୟତରେ ଲୋକଙ୍କ ସମସ୍ୟା ବୁଝିବାକୁ କେହିନାହାନ୍ତି । ତୁରନ୍ତ ବୌଦ୍ଧ ଜିଲ୍ଲାପାଳ ବାଉଁଶୁଣୀ ପଞ୍ଚାୟତ ଉପରେ ଦୃଷ୍ଟି ଦେଇ ଡ୍ରେନକୁ ସଫାକରାଇ ନଳକୂପ ମରାମତି ଓ ତାର ଚାନ୍ଦିନୀ ନିର୍ମାଣ କରାଇବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି ।

Comments (0)
Add Comment