ବୌଦ୍ଧ ଜିଲ୍ଲାରେ ଆରମ୍ଭହେଲା ଅଷ୍ଟିଓପାଥି ଚିକିତ୍ସା

ବୌଦ୍ଧ,୩/୨:- ବୌଦ୍ଧ ସହରର ଫିଜିଓଥେରାପି କେନ୍ଦ୍ର ନିକଟରେ ଅଷ୍ଟିଓପାଥି ଚିକିତ୍ସା ଫେବୃଆରୀ ୨ ତାରିଖରୁ ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଯୋଗଦେଇ ଫିତାକାଟି ଚିକିତ୍ସାର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଡ. ମଦନମୋହନ ପ୍ରଧାନ, ଡିଏମଓ ଡ. ସଂଘମିତ୍ରା ପଣ୍ଡା, ଡିପିଏମ ରୂପକ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତର ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ । ଆଜି ସକାଳ ୯ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ଗୃହରେ ଅଷ୍ଟିଓପାଥି ଚିକିତ୍ସାକୁ ନେଇ ଏକ ସଚେତନତା କର୍ମଶାଳା ଜିଲ୍ଲାପାଳ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଭାସୀ ମାଧ୍ୟମରେ ଡ. ବିଜୟଲକ୍ଷ୍ମୀ ମହାନ୍ତି, ଡ. ବି.ଆଇ.ଶର୍ମା ଅଷ୍ଟିଓପାଥି ବିଷୟରେ ଉପସ୍ଥିତ ଅଧିକାରୀ କର୍ମଚାରୀ ଏବଂ ଜନସାଧାରଣଙ୍କୁ ସଚେତନ କରିଥିଲେ । ଡ. ନିକିତା ମିରାଜକର ଏହି ବୈଠକରେ ପାୱାର ପଏଣ୍ଟ ମାଧ୍ୟମରେ ଅଷ୍ଟିଓପାଥି ବିଷୟରେ ଉପସ୍ଥାପନ କରିଥିଲେ । ଡ. ଡି.ଏନ ସୁବୁଦ୍ଧି, ଡ. ବିଜୟ କୁମାର ସାହୁ, ଦେବାଶିଷ ପୁରୋହିତ ଅଷ୍ଟିଓପାଥି ନିଶ୍ଚିତଭାବେ ସମସ୍ତେ ସୁଫଳ ପାଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଡ. ସୁଧା ଓ ଡ. ରମା ମଧ୍ୟ ଏହି ଟ୍ରେନିଂ ସେସନର ଯୋଗଦେଇ ନିଜର ମତବ୍ୟକ୍ତ କରିଥିଲେ । ଶେଷରେ ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment