ତଥ୍ୟ ଲୁଚାଉଛି କି ଶିକ୍ଷାବିଭାଗ ! କୁଆଡେ ଗଲା ରେଗୁଲାର୍‌ ହୋଇଥିବା ଶିକ୍ଷକଙ୍କ ପ୍ରମାଣପତ୍ର ?

ବୌଦ୍ଧ,୨୬/୫- ବୌଦ୍ଧଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସର୍ବଦା ଚର୍ଚ୍ଚାରେ ରହିଛି । ସରକାରୀ ତଥ୍ୟକୁ ଜାଲିଆତି କରି ଅନେକ ଅନିୟମିତ କାର୍ଯ୍ୟ ଚାଲିଥିବା ଅଭିଯୋଗ ହୋଇ ଆସୁଛି । ସୂଚନା ଅଧିକାର ଆଇନ ବଳରେ କେହି ସୂଚନା ମାଗିଲେ ନିର୍ଦ୍ଦିଷ୍ଟ ତଥ୍ୟ ମିଳୁନାହିଁ । ଚଳିତବର୍ଷ ରେଗୁଲାର୍‌ ହେବାପାଇଁ ତଥାକଥିତ ଓଟିଇଟି ଜାଲ୍‌ ପ୍ରମାଣପତ୍ର ଦେଇ ୯୪ ଜଣ ଗଣଶିକ୍ଷକ ଚାକିରିରୁ ବିତାଡିତ ହୋଇସାରିଲେଣି । ଏଭଳି ସ୍ଥଳେ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ କେବଳ ଚଳିତବର୍ଷ ନୁହେଁ ପୂର୍ବରୁ ରେଗୁଲାର୍‌ ହୋଇଥିବା ଅନେକ ଗଣଶିକ୍ଷକ ମଧ୍ୟ ଜାଲ୍‌ ପ୍ରମାଣପତ୍ର ଦେଇ ରେଗୁଲାର ହୋଇଥିବା ଅଭିଯୋଗ ହେଉଛି । ଏହାର ସତ୍ୟାସତ୍ୟ ଜାଣିବାପାଇଁ ଏ ସମ୍ପର୍କରେ ଜଣେ ସାମାଜିକ କର୍ମୀ ଦେବାନନ୍ଦ ସାହୁ ୨୦୧୮ ଓ ୧୯ ମସିହାରେ ଓ.ଟି.ଇ.ଟି ପ୍ରମାଣପତ୍ର ଦେଇ କେତେଜଣ ଗଣଶିକ୍ଷକଙ୍କ ଚାକିରି ରେଗୁଲାର୍‌ ହୋଇଛି ସେମାନଙ୍କ ତଥ୍ୟ ସୁଚନା ଅଧିକାର ବଳରେ ମାଗିଥିଲେ । କାର୍ଯ୍ୟାଳୟପକ୍ଷରୁ ତାଙ୍କୁ ଦିଆଯାଇଥବା ତଥ୍ୟ ଅନୁଯାୟୀ ୨୦୧୯-୨୦ ମସିହାରେ କଣ୍ଟାମାଳ ବ୍ଲକରୁ ୪୩ ଜଣ, ବୌଦ୍ଧ ବ୍ଲକରୁ ୨୩ ଜଣ ଓ ହରଭଙ୍ଗା ବ୍ଲକରୁ ୧୮ ଜଣ ଲେଖାଏଁ ମୋଟ୍‌ ୮୪ ଜଣ ୮ ବର୍ଷ ଚାକିରିକରି ଓ.ଟି.ଇ.ଟି. ପାସ୍‌ କରିଥିବା ଗଣଶିକ୍ଷକଙ୍କ ରେଗୁଲାର୍‌ ହୋଇଥିବା ସୂଚନା ଦିଆଯାଇଛି । ମାତ୍ର ଆବେଦନକାରୀ ମାଗିଥିବା ତଥ୍ୟରେ ଶିକ୍ଷକଙ୍କ କେବଳ ନାମ ଦିଆଯାଇଛି କିନ୍ତୁ ଓ.ଟି.ଇ.ଟି ପ୍ରମାଣପତ୍ରର ନକଲ ଦିଆଗଲା ନାହିଁ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ମାଧ୍ୟମରେ ଆବେଦନକାରୀଙ୍କୁ ଜଣାଇ ଦିଆଗଲାଯେ ସେଭଳି ପ୍ରମାଣପତ୍ର ଆମ୍ଭ କାର୍ଯ୍ୟାଳୟରେ ଉପଲବଧ ନାହିଁ । ଏଠାରେ ପ୍ରଶ୍ନ ଉଠେ ଯଦି ରେଗୁଲାର୍‌ ହୋଇଥିବା ୮୪ ଜଣ ଗଣଶିକ୍ଷକଙ୍କ ଓ.ଟି .ଇ.ଟି ପ୍ରମାଣପତ୍ର ନାହିଁ ତେବେ ଜିଲ୍ଲା ଶିକ୍ଷାଅଧିକାରୀ ସେମାନଙ୍କୁ କେଉଁ ପ୍ରମାଣପତ୍ର ଆଧାରରେ ରେଗୁଲାର୍‌ କରିଛନ୍ତି । ବିନା ଓ.ଟି.ଇ.ଟି ପ୍ରମାଣପତ୍ର ଆଧାରରେ କିଭଳି ରେଗୁଲାର୍‌ କରାଯାଇଛି ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏହା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଏକ ସାଂଘାତିକ ଅନିୟମିତତା ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରୁନାହିଁ କି ? ସୂଚନାକର୍ମୀ ଜଣକ ଏ ସଂପର୍କରେ ସୂଚନା କମିଶନରଙ୍କ ଠାରେ ଅପିଲ କରିଥିବା ମଧ୍ୟ ଜଣାପଡିଛି । ବୌଦ୍ଧ ଜିଲ୍ଲାପାଳ ଓ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯିବାକୁ ଜନସାଧାରଣରେ ଦାବୀ ହେଉଛି ।

Comments (0)
Add Comment