ବୌଦ୍ଧ,୨୬/୮: – ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ ବ୍ଲକର ସ୍ପିକର ହଲ୍ ଠାରେ ଆଜି ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ବୌଦ୍ଧ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ମର୍ଯ୍ୟାଦାଜନକ ସ୍କଚ ଆୱାର୍ଡ ସମ୍ମାନ ଗ୍ରହଣ କରିଛନ୍ତି । ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଏବଂ ଜିଲ୍ଲା ହସ୍ତତନ୍ତ ସହକାରୀ ନିର୍ଦ୍ଦେଶକ ବିନାୟକ ପୃଷ୍ଟି ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇଥିଲେ । ୨୦୨୩ ମସିହା ପାଇଁ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲାରେ ହସ୍ତତନ୍ତ ଉନ୍ନୟନ କାର୍ଯ୍ୟକ୍ରମରେ ଉତ୍କର୍ଷ କାମ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବୌଦ୍ଧ ଜିଲ୍ଲାର ପାଟ ଲୁଗା, ମଠା ଲୁଗା, ମନମୁଣ୍ଡିଆ ଗାମୁଛା, ମର୍ଜାକୁଦିଆ ଗାମୁଛା ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି ।
ସୂଚନାଯୋଗ୍ୟ ଯେ ବୌଦ୍ଧର ପୂର୍ବତନ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଉଦ୍ୟମରେ ଗତବର୍ଷ ନଭେମ୍ବର ୧୩ ତାରିଖରେ ଓଡିଶାର ଦ୍ୱିତୀୟ ବୃହତ୍ତମ ସାପ୍ତାହିକ ବୁଣାକାର ହାଟ ବୌଦ୍ଧରେ ଉଦଘାଟିତ ହୋଇଥିଲା । ଏହାବ୍ୟତୀତ ଗତବର୍ଷ ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀମେଳା ଅବସରରେ ଜାତୀୟ ହସ୍ତତନ୍ତ ମେଳା ଆୟୋଜନ କରାଯାଇ ବୌଦ୍ଧର ବୁଣାକାର ଶିଳ୍ପକୁ ପ୍ରୋତ୍ସାହିତ କରାଯାଇଥିଲା । ବୌଦ୍ଧର ଆଦର୍ଶ କୃଷକ ବଜାର ଠାରେ ପ୍ରତି ରବିବାର ବୌଦ୍ଧର ବୁଣାକାରମାନଙ୍କ ଉନ୍ନତି ଓ ଉତ୍ପାଦିତ ବସ୍ତ୍ରର ବିକ୍ରୟ ସୁବିଧା ପାଇଁ ବୃହତ ବୁଣାକାର ବଜ଼ାର ପ୍ରଶାସନ ଦ୍ୱାରା ଆରମ୍ଭ କରାଯାଇ ପରିଚାଳନା କରାଯାଉଛି ।