ବୌଦ୍ଧରେ ଜିଲ୍ଲା କିଷାନ କଂଗ୍ରେସ ତରଫରୁ ଭାରତବନ୍ଦ୍‌ ଶାନ୍ତିପୂର୍ଣ୍ଣ

ବୌଦ୍ଧ,୨୭/୯: କେନ୍ଦ୍ର ସରକାର ସଂସଦରେ ପାରିତ କରିଥିବା ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବା ସହିତ ପେଟ୍ରୋଲ ,ଡିଜେଲ ଓ ରନ୍ଧନ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧିର ପ୍ରତିବାଦରେ ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ବୌଦ୍ଧଜିଲ୍ଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଜିଲ୍ଲା କିଷାନ କଂଗ୍ରେସ ତରଫରୁ ସମର୍ଥନ ଜଣାଇ ବନ୍ଦ୍‌ ପାଳନ କରାଯାଇଛି । ବନ୍ଦର ପ୍ରଭାବରେ ବୌଦ୍ଧ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାବେଳେ ଗାଡ଼ିମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ୍‌ ରହିଛି । ବୌଦ୍ଧର ଏନଏସି ଛକଠାରୁ ବ୍ରିଜଛକ ଯାଏଁ ଯାନବାହନ ଅଟକି ରହିଥିବାବେଳେ ବସଷ୍ଟାଣ୍ଡରେ ମଧ୍ୟ ବସ୍‌ ସବୁ ଠିଆ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟଅଫିସ ବନ୍ଦ୍‌ ରହିଛି । ମାଜିଷ୍ଟ୍ରେଟମାନେ କୋର୍ଟକୁ ଆସିଥିବାବେଳେ ଆନ୍ଦୋଳନକାରୀମାନେ କୋର୍ଟ ସମ୍ମୁଖରେ ଉପସ୍ଥିତ ରହି କୋର୍ଟକୁ ନ ଯିବାକୁ ଅନୁରୋଧ କରିଥିଲେ । ଫଳରେ ସେମାନେ ସେଠାରୁ ଫେରିଯାଇଥିଲେ । କିଷାନ କଂଗ୍ରେସ ପକ୍ଷରୁ କର୍ମୀମାନେ ପିକେଟିଂକରି ଏନଏସି ଛକ ଠାରେ କେନ୍ଦ୍ର ସରକାର ଦେଶବ୍ୟାପୀ ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ କରୁଥିବା ଜନବିରୋଧି ବିଦ୍ୟୁତ ଆଇନ , ଶ୍ରମିକ ବିରୋଧୀ ଶ୍ରମ ଆଇନ ଓ କୃଷକ ବିରୋଧୀ ତିନୋଟି କୃଷି ଆଇନକୁ ବିରୋଧକରି କେନ୍ଦ୍ରସରକାର ବିରୁଦ୍ଧରେ ନାରାବାଜି କରିଥିଲେ । ଏହାର ନେତୃତ୍ୱ ନେଇଥିଲେ କଂଗ୍ରେସର ବରିଷ୍ଠନେତା ଅବଦୁଲ ଅଜିଜ ଖାଁ ।

ଆଜିର ଏହି ବନ୍ଦ ପାଳନ ଜିଲ୍ଲା କିଷାନ କଂଗ୍ରେସ ତରଫରୁ ଅନୁଷ୍ଠିତ ହୋଇଥିବାବେଳେ ସଭାପତି ରଘୁନାଥ ପଲିଆ, ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ ବନ୍ଦ ପାଳନରେ ସକ୍ରିୟ ଭୁମିକା ନିର୍ବାହ କରିଥିଲେ । ସେହିପରି କଂଗ୍ରେସର ବରିଷ୍ଠନେତା ଅବଦୁଲ ଅଜିଜ ଖାଁ , ଏସି ସେଲ ଚେୟାରମ୍ୟାନ ଜାମିନୀ ମୁଖୀ, ପିସିସି ସଭ୍ୟ ରାୟ ସଞ୍ଜିବ କୁମାର ଦେଓ, ବୌଦ୍ଧ ନିର୍ବାଚନ ମଣ୍ଡଳ ଯୁବକଂଗ୍ରେସ ସଭାପତି ଅବଦୁଲ କଲିମ ଖାଁ, ଯୁବ କଂଗ୍ରେସ ସାଧାରଣ ସଂପାଦକ ଛବିଳ ବେହେରା, ହରଭଙ୍ଗା ବ୍ଲକ କିଷାନ ସଂଘ ସଭାପତି ନୀଳାଞ୍ଚଳ ପଟ୍ଟନାୟକ, କଂଗ୍ରେସ କର୍ମୀ ଦିଲ୍ଲୀପ ସେଠୀ, ଶିବ ବେହେରା, ଚିତ୍ତ ବେହେରା, ପ୍ରଭଜନ ବାରିକ, କନିଷ୍ଠ ରାଜହଂସ, ସଞ୍ଜିବ ନାଏକଙ୍କ ସମେତ ଶତାଧିକ କର୍ମୀ ବିଭିନ୍ନ ସ୍ଥାନରେ ବନ୍ଦ୍‌ ପାଳନରେ ସାମିଲ ହୋଇଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା ।

Comments (0)
Add Comment