ବ୍ରାହ୍ମଣିପାଲିରେ ପ୍ରଶାସନ ପକ୍ଷରୁ ଜନଶୁଣାଣି ଶିବିର

ବୌଦ୍ଧ,୨୬ା୧୨: ବୌଦ୍ଧ ବ୍ଳକ ବ୍ରାହ୍ମଣିପାଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଉପସ୍ଥିତିରେ ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ସମୁଦାୟ ୧୩୮ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୧୨୭ ଗୋଟି ବ୍ୟକ୍ତିଗତ ମାମଲା ଓ ୧୧ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା । ସେଥିମଧ୍ୟରୁ ୪ ଜଣଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୧୧ ହଜାର ଟଙ୍କା ଓ ଜଣକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଥିଲା । ଏହି ଶିବିରରେ ୬୧ ଗୋଟି ଅଭିଯୋଗର ତକ୍ରାଳ ସମାଧାନ କରାଯାଇଥିଲା । ତରଭା ବ୍ରାହ୍ମଣିପାଲିର ସମିତା ନାଏକ, ବକପାଲିର ରୁକୁଣି ପ୍ରଧାନ ଏବଂ ଇନ୍ଦୁ ନାଏକଙ୍କୁ ଜିଲା ରେଡକ୍ରସ ପାଣ୍ଠିରୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଥିବାବେଳେ ଜଡାପାଲର କାଞ୍ଚନ ମଲ୍ଲିକଙ୍କୁ ୫ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯାଇଥିଲା । ଏଥିସହିତ ଭୁକ୍ତାପଡା ଗ୍ରାମର ଡମ୍ବରୁ ବେହେରାଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୩ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ତାଳଗରିର ଅଷ୍ଟମୀ ଲୁହା, ଘଣ୍ଟାପଡାର ରଜନୀ ଉର୍ମା, ବକପାଲିର କୈକେୟା ବାରିକ୍‌, ଖଲିଆପାଲିର ସୁକାନ୍ତି ନାଏକ, ଭୁକ୍ତାପଡା ଗ୍ରାମର ଡମ୍ବରୁ ବେହେରା ଓ ରଞ୍ଚନ।। ଉର୍ମାଙ୍କୁ ଏହି ଶିବିରରେ ୫ ଶହ ଟଙ୍କା ଲେଖାଏଁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଥିଲା । ଏହି ଅବସରରେ ୭ ଜଣଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏହି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବିନ୍ଦ୍ର କୁମାର ରାଉତ, ଜିଲ୍ଲାପରିଷଦ କାର୍ଯ୍ୟନିବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର କହଁରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଶିବିରରେ ସ୍ଥାନୀୟ ସରପଞ୍ଚ ଅରୁଣ ବାଘ ଏହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Comments (0)
Add Comment