ବୌଦ୍ଧ,୧୨/୧୧- ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଆଜି ରାଜ୍ୟରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ କରିବାକୁ ଥିବାବେଳେ ଗତକାଲି ସନ୍ଧ୍ୟାରେ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ବୌଦ୍ଧରେ ୬ ଘଣ୍ଟିଆ ହରତାଳ ପାଳନ କରାଯାଇଛି । ଶାନ୍ତିପୂର୍ଣ୍ଣ ଭାବେ କେବଳ ହରତାଳ କରାଯାଉଥିବାରୁ ସହରର ସମସ୍ତ ଦୋକାନ ବଜାର, ସମସ୍ତ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ସ୍କୁଲ କଲେଜ, ଅନୁଷ୍ଠାନ ଖୋଲା ରହିଥିବାବେଳେ ଯାନବାହନ ଚଳାଚଳ ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । କଂଗ୍ରେସ କର୍ମୀମାନେ ଏକ ବାଇକ ଶୋଭାଯାତ୍ରାରେ ରାଜନପାଲି ଛକରୁ ବାହାରି ସହରର ବିଭିନ୍ନ ଛକଦେଇ କୋର୍ଟଛକରେ ପହଞ୍ଚିଥିଲେ । ମମିତା ମେହେରଙ୍କୁ ନ୍ୟାୟ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ସିବିଆଇ ତଦନ୍ତ ଦାବିରେ କଂଗ୍ରେସ ଜିଲ୍ଲା ସଭାପତି ନବ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସର ଶତାଧିକ ନେତା ଓ କର୍ମୀ କୋର୍ଟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ହରତାଳ କରିଥିଲେ ଓ ରାଜ୍ୟସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ । ଏହି ହରତାଳରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସନେତା ନାରାୟଣ ପରିଜା, ଯାମିନୀ ମୁଖୀ, ପିସିସି ସଭ୍ୟ ରାୟ ସଞ୍ଜିବ କୁମାର ଦେଓ, ପଙ୍କଜ କର୍ଣ୍ଣ, ସୋମରେଶ ମିଶ୍ର, ପ୍ରଦୀପ ଦାସ, ଗଣେଶ ଅଗ୍ରୱାଲା, ତାରେଣୀ ପ୍ରସାଦ ଜେନା, ଶିବ ଚରଣ ବେହେରା, ଚିତ୍ତରଂଜନ ବେହେରା, ଅର୍ଜୁନ ମହାନନ୍ଦିଆ, ବିକ୍ରମ ପ୍ରଧାନ, ପୋଲସ୍ତି ପ୍ରଧାନ, କବିତା ମହାକୁଳଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ ।