ଜିଲ୍ଲାସ୍ତରୀୟ ବାଲ୍ୟବିବାହ ନିଷେଧ ଉପରେ ଜାତି ମୁଖିଆ ମାନଙ୍କ ଏକ ଦିନିକିଆ କର୍ମଶାଳା

ବୌଦ୍ଧ,୨୩/୪:- ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ପାରମ୍ପାରିକ ଜାତି ମୁଖିଆ, ମନ୍ଦିର କମିଟି ସଦସ୍ୟ ମାନଙ୍କର ଦିନିକିଆ ବାଲ୍ୟ ବିବାହ ନିଷେଧ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ପିଡିଙ୍କ ଦ୍ୱାରା କାର୍ଯ୍ୟକ୍ରମ ଉଦଘାଟନ କରାଯାଇଥିଲା । ଜିଲ୍ଲା ବାଲ୍ୟ ବିବାହ ପରାମର୍ଶଦାତ୍ରୀ ସୁଶ୍ରୀ ପ୍ରବୀଜ୍ଞା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ଦାସ ବୌଦ୍ଧ ଜିଲ୍ଲାର ସ୍ଥିତି, ବାଲ୍ୟବିବାହର କାରଣ, ନିରାକରଣ ଓ କିଶୋରୀ ସଶକ୍ତି କରଣ, ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷଣା ଉପରେ ସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ । ଜାତି ମୁଖିଆମାନେ ସେମାନଙ୍କର ବର୍ତ୍ତମାନର ସ୍ଥିତି ଓ ଆଗକୁ କିଭଳି ପଦକ୍ଷେପ ନେଇ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ ଘୋଷଣା କରାଯାଇପାରିବ ସେ ଉପରେ ମତାମତ ଦେଇଥିଲେ । ଜିଲ୍ଲାପାଳ ନିଜ ବକ୍ତବ୍ୟରେ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବାକୁ ବୈଠକରେ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ୬ ମାସ ମଧ୍ୟରେ ତ୍ୱରିତ ବେଗରେ ଅଧିକରୁ ଅଧିକ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଓ ପଞ୍ଚାୟତ ଘୋଷଣା କରିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସି ଡବ୍ଲୁ ସି ସଭ୍ୟ ଶ୍ରୀ ସୀତାକାନ୍ତ ସାହୁ ବାଲ୍ୟ ବିବାହ ରୋକିବାକୁ ହେଲେ ଜନ୍ମ ପ୍ରମାଣ ପତ୍ର ଅନିବାର୍ଯ୍ୟ ଓ ଏହା ଅଙ୍ଗନୱାଡି ସହାୟତାରେ ପ୍ରାପ୍ତ କରିବାକୁ ଅନୁରୋଧ କରିଥିଲେ । ମିଶନ ଶକ୍ତିର ଜିଲ୍ଲା ପ୍ରୋଜେକ୍ଟ ମେନେଜର ଜିଲ୍ଲାରେ ବାଲ୍ୟବିବାହ ସ୍ଥିତି ଓ ଆଗାମୀ ଦିନରେ ମିଶନ ଶକ୍ତିର ଭୂମିକା ଉପରେ ଆଲୋକପାତ କରିଥିଲେ । ବାଳିକା ଶିକ୍ଷା ସଂଯୋଜିକା ସୁଶ୍ରୀ ରାଜଲକ୍ଷ୍ମୀ ପଣ୍ଡା ସମଗ୍ର ଶିକ୍ଷା ଓ ବାଳିକା ମାନଙ୍କ ପାଇଁ ଉପଲବ୍ଧ ସମସ୍ତ ସୁଯୋଗର ବିବରଣୀ ଦେବା ସହିତ ଶିକ୍ଷା ସମ୍ବନ୍ଧୀୟ ଜାତି ମୁଖିଆ ମାନଙ୍କର ପ୍ରଶ୍ନର ଉଚିତ ଉତ୍ତର ରଖିଥିଲେ । ଶେଷରେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ଶର୍ମିଷ୍ଠା ହୋତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ସହିତ ଆଗକୁ ବାଲ୍ୟବିବାହ ମୁକ୍ତ ବୌଦ୍ଧର କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଏଡିଏସଡବ୍ଲୁଓ, ସିଡିପିଓ, ସୁପରଭାଇଜର, ଡିପିଏମ ମିଶନ ଶକ୍ତି, ଡିପିସି ମମତା ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ପ୍ରମୁଖ ଯୋଗଦାନ କରିଥିଲେ ।

Comments (0)
Add Comment