ଦୁର୍ଘଟଣାରେ ମୃତକଙ୍କ ଶବ ରଖି ରାସ୍ତା ଅବରୋଧ

ବୌଦ୍ଧ,୬/୧୨ – ଗତକାଲି ସନ୍ଧ୍ୟା ପ୍ରାୟ ୭ଘଣ୍ଟା ସମୟରେ ୪୧ ନମ୍ବର୍‌ ଜାତୀୟ ରାଜପଥ ମନମୁଣ୍ଡା – କଣ୍ଟାମାଳ ରାସ୍ତାର ସିନ୍ଦୁରପୁର୍‌ ଗାଆଁ ମୁଣ୍ଡ ଛକ ନିକଟରେ ହୋଇଥିବା ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଆମ୍ବଗହଣା ଗ୍ରାମର ସତ୍ୟ ନାରାୟଣ ବାଘ ଆଜି ଚିକିତ୍ସାଧିନ ଅବସ୍ଥାରେ ସୋନପୁର ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି । ତାଙ୍କର ଶବ ବ୍ୟବଚ୍ଛେଦ ପରେ ଆଜି ଘରକୁ ଫେରିବା ବାଟରେ ଦୁର୍ଘଟଣାସ୍ଥଳରେ ଶବକୁ ରଖି ମନମୁଣ୍ଡା – କଣ୍ଟାମାଳ ରାସ୍ତାକୁ ଅବରୋଧ କରିଥିଲେ । ଖବର ପାଇ କଣ୍ଟାମାଳ ବିଡିଓ ବନ୍ଦନା ଖଟୁଆ ଓ ମନମୁଣ୍ଡା ଥାନାର ଏ.ଏସ. ଆଇ ଜ୍ଞାନେନ୍ଦ୍ର୍ର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ପ୍ରଦାନ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ମୃତ ସତ୍ୟ ନାରାୟଣ ବାଇକ ଯୋଗେ ଆମ୍ବଗହଣାରୁ ଖଟଖଟିଆ ଆସୁଥିବାବେଳେ ଶିମିଳିପଦର ଗ୍ରାମର କାହ୍ନୁ ଚରଣ କ୍ଷେତି ଏକ ସ୍କୁଟି ଓଡି ୩୧ ବି ୩୧୩୮ ଯୋଗେ ଖଟଖଟିଆରୁ ନିଜ ଗାଁକୁ ଯାଉଥିଲେ । ଉଭୟଙ୍କ ବାଇକ ଗାଡି ମଧ୍ୟରେ ଧକ୍କା ହୋଇଥିବା ପ୍ରତ୍ୟକ୍ଷ ଦର୍ଶୀଙ୍କ ସୂତ୍ରରୁ ପ୍ରକାଶ । ଆଜି ଏ ସମ୍ପର୍କରେ ମୃତକଙ୍କ ପୁଅ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିବା ମନମୁଣ୍ଡା ପୋଲିସ ପକ୍ଷରୁ ସୂଚନା ମିଳିଛି ।

Comments (0)
Add Comment