ବୌଦ୍ଧ: ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ

ବୌଦ୍ଧ,୧୬/୧୧- ଆଜି ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର ସମ୍ମିଳନୀ କକ୍ଷରେ ଜାତୀୟ ପ୍ରେସ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଡେପୁଟି କଲେକ୍ଟର ଅବନୀକାନ୍ତ ସାହୁ, ଶିଶୁ ସୁରକ୍ଷା ପରାମର୍ଶଦାତ୍ରୀ ପ୍ରବୀଜ୍ଞା ଦାସ, ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ ଓ ବନମାଳୀ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରିବାପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କରୋନା ମହାମାରୀ ସମୟରେ ମୃତ୍ୟୁବରଣ କରିଥିବା ଜିଲ୍ଲାର ସାମ୍ବାଦିକମାନଙ୍କ ପାଇଁ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ଶ୍ରୀଜଗନ୍ନାଥଙ୍କ ଏକ ସୁନ୍ଦର ଭଜନ ଗାନ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ମୁଖ୍ୟଅତିଥି ଶ୍ରୀ ମିଶ୍ର ପ୍ରେସ ଦିବସ ଅବସରରେ ସମସ୍ତ ସାମ୍ବାଦିକମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସାମ୍ବାଦିକମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । କୋଭିଡ ସମୟରେ ମଧ୍ୟ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିବାରୁ ସେ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଦେଇଥିଲେ । ଗଣମାଧ୍ୟମ ଓ ପ୍ରଶାସନ ମଧ୍ୟରେ ଏକ ନିବଡ ସଂପର୍କ ରହିଛି । ଗଣମାଧ୍ୟମ ସବୁବେଳେ ପ୍ରଶାସନକୁ କାର୍ଯ୍ୟ କରିବାକୁ ଚେତାଇଥାଏ । ତେଣୁ ନିରପେକ୍ଷ ଓ ସତ୍ୟଘଟଣାକୁ ନେଇ ନିଜର ଖବର ପ୍ରଚାରପ୍ରସାର କରିବାକୁ ସେ ସାମ୍ବାଦିକମାନଙ୍କୁ ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଦଳବେହେରା ସାମ୍ବାଦିକମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବାସହିତ ସମସ୍ତଙ୍କର ଉତ୍ତୋରତ୍ତର ଉନ୍ନତ୍ତି କାମନା କରିଥିଲେ । ଡେପୁଟି କଲେକ୍ଟର ଶ୍ରୀ ସାହୁ ଗଣମାଧ୍ୟମ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ବୋଲି କହିବାସହ ସାମ୍ବାଦିକତା ପେଶା ପାଇଁ ସମସ୍ତେ ଆଗ୍ରହୀ ହେବାକୁ ଓ ଏଥିପାଇଁ ଛୋଟ ପିଲାମାନଙ୍କୁ ସ୍କୁଲ କଲେଜ ସ୍ତରରେ ସାମ୍ବାଦିକତା ପାଠ ପଢାଇବାକୁ ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ଆବଶ୍ୟକ ବୋଲି କହିଥିଲେ । ପରାମର୍ଶଦାତ୍ରୀ ପ୍ରବୀଜ୍ଞା ଦାସ ନିଜ ବକ୍ତବ୍ୟରେ ସାମ୍ବାଦିକମାନଙ୍କ ଭୁମିକାକୁ ପ୍ରଶଂସା କରିବାସହ କୋଭିଡ ମୁକାବିଲାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୁମିକାକୁ ସ୍ମରଣ କରିଥିଲେ । ଏହାଛଡା ବାଲ୍ୟବିବାହକୁ ବିରୋଧ ଓ ଶିଶୁ ସୁରକ୍ଷା ଜରୁରୀ ସଂପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ସାମ୍ବାଦିକ ଶ୍ରୀ ଦାଶ ପ୍ରେସ ଦିବସ ପାଳନର ତାତ୍ପର୍ଯ୍ୟ, ଜଣେ ସାମ୍ବାଦିକ ନୀତିନିଷ୍ଠ, ଚରିତ୍ରବାନ ହେବାକୁ ପରାମର୍ଶ ଦେଇଥିଲେ । ତାଙ୍କରି ସାମ୍ବାଦିକତା ଜୀବନର ଅନୁଭୂତି ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ବରିଷ୍ଠ ସାମ୍ବାଦିକ ଶ୍ରୀ ପାଣିଗ୍ରାହୀ ଭଲଖବର, ଗଠନମୂଳକ ଖବର ଓ ପକ୍ଷପାତ ନକରି ତଥ୍ୟଭିତ୍ତିକ ସମ୍ବାଦ ପରିବେଷଣ କରିବାକୁ ସେ ଉପସ୍ଥିତ ସାମ୍ବାଦିକମାନଙ୍କୁ ଆହ୍ୱାନ ଦେଇଥିଲେ ।

ଏହି ଅବସରରେ ଦୈନିକ ସମ୍ବାଦପତ୍ର “ହୀରାଞ୍ଚଳ’ର ସଂପାଦକ ଯୁଗଳ କିଶୋର ସାମଲ, ବରିଷ୍ଠ ସାମ୍ବାଦିକ ସୌମିତ୍ରୀ ନାୟକ, ଦେବାଶିଷ ପୁରୋହିତ, ଶଙ୍କର ପ୍ରସାଦ ମିଶ୍ର, ସାମ୍ବାଦିକା ପ୍ରଣତୀ ପଣ୍ଡା ପ୍ରମୁଖ ନିଜନିଜ ବକ୍ତବ୍ୟ ରଖିଥିଲେ । ଜିଲ୍ଲାର ଦିବଙ୍ଗତ ସାମ୍ବାଦିକ ମନୋରଞ୍ଜନ ମିଶ୍ର, କପିଳେଶ୍ୱର ପ୍ରଧାନ, ସତୀଶ ଚନ୍ଦ୍ର ପଟ୍ଟାୟକ, ରାମଚନ୍ଦ୍ର ପଣ୍ଡା, ଦୁର୍ବାକ୍ଷ ବସ୍ତିଆ ଏବଂ ବିଶ୍ୱଜିତ ପୃଷ୍ଟିଙ୍କ ପରିବାରକୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାର ସମସ୍ତ ସାମ୍ବାଦିକଙ୍କୁ କରୋନା ଯୋଦ୍ଧାଭାବେ ମାନପତ୍ର ଓ ଫୁଲଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ବୌଦ୍ଧର ବରିଷ୍ଠ ସାମ୍ବାଦିକ ବରୋଜ କୁମାର ବେହେରା, ରବିନ୍ଦ୍ର ରାଉତ, ସୌମିତ୍ରୀ ନାୟକ, ଦେବାଶିଷ ପୁରୋହିତ, ସୋରେନ୍ଦ୍ର ଷଡଙ୍ଗୀ ଓ ଶଶାଙ୍କ ଶେଖର ମିଶ୍ରଙ୍କୁ ଶ୍ରେଷ୍ଠ ସାମ୍ବାଦିକ ଭାବେ ଘୋଷଣା କରାଯାଇଥିବାବେଳେ ସେଠାରେ ଉପସ୍ଥିତ ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Comments (0)
Add Comment