ଦୁର୍ନୀତି ବିରୋଧରେ ସଚେତନତା ସଭା ଓ ଶପଥ ପାଠ

ବୌଦ୍ଧ,୨ା୧୧ : ଜିଲ୍ଲା ପ୍ରଶାସନ, ଜିଲ୍ଲା ଦୁର୍ନିତୀ ନିବାରଣ ବିଭାଗ , ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ହରଭଙ୍ଗା ବ୍ଳକର ପୁରୁଣାକଟକ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ହରଭଙ୍ଗା ବିଡିଓ ରବୀନ୍ଦ୍ରନାଥ କହଁରଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଭିଜିଲାନସ ଇନ୍ସପେକ୍ଟର ଜଗବନ୍ଧୁ ଅଙ୍ଗରିଆ ଏହି ଦିବସର ତାତ୍ପଯ୍ୟ ଉପରେ ବକ୍ତବ୍ୟ ରଖିବାସହ ପ୍ରତ୍ୟେକ ସ୍ତରରେ ହେଉଥିବା ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସମସ୍ତଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ରଖିଥିଲେ । ସମ୍ମାନୀତ ଅତିଥିଭାବେ ନେହେରୁ ଯୁବକେନ୍ଦ୍ରର ସଂଯୋଜକ ଆସମାନ ମହାକୁଡ , ପୁରୁଣାକଟକ ସରପଂଚ ଅଶୋକ କୁମାର ସେଠୀ ଦୁର୍ନୀତି ବିରୋଧରେ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ ଅତିଥି ପରିଚୟ ପ୍ରଦାନ, ସଭା ସଂଯୋଜନା ଓ ସ୍ୱାଗତ ଭାଷଣ ପ୍ରଦାନ କରିବାସହ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ଅଙ୍ଗନୱାଡି କର୍ମୀ, ସହଯୋଗୀ, ଆଶାକର୍ମୀ, ସ୍ୱୟଂସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ପ୍ଲାକାର୍ଡ ପ୍ରଦର୍ଶନ ପୂର୍ବକ ସମସ୍ତଙ୍କୁ ସଚେତନ କରିଥିଲେ । ସେହିପରି ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ଡ. ପ୍ରମୋଦ କୁମାର ମହାପାତ୍ରଙ୍କ ଅଧକ୍ଷତାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟଅତିଥି ଭାବେ ଭିଜିଲାନସ ଇନ୍ସପେକ୍ଟର ଜଗବନ୍ଧୁ ଅଙ୍ଗରିଆ ଯୋଗଦେଇ ସମସ୍ତଙ୍କୁ ସଚେତନତାର ବାର୍ତ୍ତା ଦେବାସହ ଶପଥ ପାଠ କରାଇଥିଲେ । ସମ୍ମାନୀତ ଅତିଥିଭାବେ ନେହେରୁ ଯୁବକେନ୍ଦ୍ରର ସଂଯୋଜକ ଆସମାନ ମହାକୁଡ ଯୋଗଦେଇ ଉଦ୍ୟମ କଲେ ଦୁର୍ନୀତିକୁ ରୋକାଯାଇପାରିବ ବୋଲି କହିଥିଲେ । ଏନଏସଏସ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରଞ୍ଜିତ କୁମାର ସାମଲ ସମ୍ମାନୀତ ଅତିଥିଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିବାସହ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଅତିଥି ପରିଚୟ ପ୍ରଦାନ, ସଭା ସଂଯୋଜନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏଥିରେ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ପରେ ପରେ ଖଜୁରିପଡା ସ୍ଥିତ ଯାଯାବର ଠାରେ ହରଭଙ୍ଗା ବ୍ଳକର ସିଆରପିସିଏମ ମହିଳାମାନଙ୍କୁ ସଚେତନତା ବାର୍ତା ଦେଇ ଶପଥପାଠ କରାଇଥିଲେ । ଅପରାହ୍ନରେ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ଠାରେ ଆସନ୍ତା ୫ ତାରିଖରେ ହେବାକୁ ଥିବା ଜିଲ୍ଲାସ୍ତରୀୟ ସଚେତନତା ସଭା , ରାଲି ଏବଂ ପଥପ୍ରାନ୍ତ ନାଟକ ଉଦ୍ଦେଶ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଡିପିସି ମିଶନ ଶକ୍ତି ଦେବଦତ୍ତ ମିଶ୍ର , କମ୍ୟୁନିଟି ଅର୍ଗାନାଇଜର ସୁପର୍ଣ୍ଣା ମହାନ୍ତି , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ, ଇନ୍ସପେକ୍ଟର ଜଗବନ୍ଧୁ ଅଙ୍ଗରିଆ ଯୋଗଦେଇ କାର୍ଯ୍ୟକ୍ରମ ସଂପର୍କରେ ଚୁଡାନ୍ତ କରିଥିଲେ । ଏହି ବୈଠକର ନିଷ୍ପତିକ୍ରମେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଏନସିସି, ରେଡକ୍ରସ, ମହିଳା ମହାବିଦ୍ୟାଳୟ, ଏନଏଏମ ସେଣ୍ଟରରୁ ୨୫ ଜଣ ଲେଖାଏଁ ଛାତ୍ରଛାତ୍ରୀ, ସ୍ୱଂୟସହାୟକ ଗୋଷ୍ଠୀ ଓ ଅନ୍ୟାନ୍ୟ ଅନୁଷ୍ଠାନରୁ ୨୦୦ ଜଣ ମହିଳା ରାଲିରେ ଯୋଗଦେଇ ଲୋକଙ୍କୁ ସଚେତନତା କରିବାସହ ୩ ଗୋଟି ସ୍ଥାନରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗିମାନଙ୍କୁ ପୁରସ୍କାର ବଣ୍ଟନ ସହ ସଚେତନତା ସଭା ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଆସନ୍ତାକାଲି କଣ୍ଟାମାଳ ବ୍ଲକର ନାରାୟଣପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ସିଲେଟପଡା ଗ୍ରାମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଯୋଗୀନ୍ଦ୍ର ଦେବ ଉଚ୍ଚ଼ ବିଦ୍ୟାଳୟଠାରେ ମହାବିଦ୍ୟାଳୟସ୍ତରୀୟ ବକ୍ତୃତା, ଉଚ୍ଚ଼ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଲିଖନ ଏବଂ ମଧ୍ୟ ଇଂରାଜୀ ବିଦ୍ୟାଳୟ ସ୍ତରୀୟ କାର୍ଟୁନ କମ କେପସନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

Comments (0)
Add Comment