ବୌଦ୍ଧ ବ୍ଲକରେ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦଯାପିତ

ବୌଦ୍ଧ,୮/୯:- ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଓ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ବ୍ଲକ ସମ୍ମିଳନୀ କକ୍ଷରେ ବୌଦ୍ଧ ବ୍ଲକସ୍ତରୀୟ ସଂସାଧନ ସଭ୍ୟଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଶ୍ୱିନୀ କୁମାର ପାଣ୍ଡେ ପ୍ରଶିକ୍ଷଣ ଶିବିରର ଉଦ୍ଦେଶ୍ୟ ଜ୍ଞାପନ, କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରା କ୍ଷେତ୍ରରେ ବୌଦ୍ଧର ବିକାଶ, ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ ବାର୍ତ୍ତା ଲୋକକଳା ମାଧ୍ୟମରେ ସମସ୍ତ ଗ୍ରାମରେ ପହଞ୍ଚାଇବା ପାଇଁ କଳାକାରମାନଙ୍କୁ ଆହ୍ୱାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପୂର୍ବଦିନର କାର୍ଯ୍ୟକ୍ରମର ସମୀକ୍ଷା, ଶିବିରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋଚନା କରିବା ସହ ଆସନ୍ତା ସେପ୍‌ଟେମ୍ବର ୧୫ ରୁ ୩୦ ରିଖ ମଧ୍ୟରେ ପାଲା, ଦାସକାଠିଆ, ଘୋଡା ନାଚ, ଫୋକ ସଂଗୀତ ଓ ନୃତ୍ୟ ମାଧ୍ୟମରେ ପ୍ରତ୍ୟେକ ଗ୍ରାମରେ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ବାର୍ତ୍ତା ଲୋକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ତଥା ସୂଚନା, ଶିକ୍ଷା ଏବଂ ଯୋଗାଯୋଗ ଉପକ୍ରମରେ ଆୟୋଜିତ ଜିଲ୍ଲା ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପର୍କରେ କଳାକାରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୁମିକା ରହିବ ଏବଂ ସମସ୍ତ କଳାକାରଙ୍କୁ ସୁଯୋଗ ଦିଆଯିବ ବୋଲି ମତବ୍ୟକ୍ତ କରିବାସହ ଏହି କାର୍ଯ୍ୟକ୍ରମର ମାର୍ଗଦର୍ଶିକା ବିଷୟରେ ଆଲୋକପାତ କରିଥିଲେ । ସଂସାଧନ କର୍ମୀ ଭାବେ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ଦିବ୍ୟଶଙ୍କର ରାଉତ ଲୋକକଳା ପରିବେଷଣରେ ନାଟକୀୟତାର ଗୁରୁତ୍ୱ ପ୍ରମୁଖ ଆଠଗୋଟି ଯୋଜନାର ରୂପରେଖ, ସୂଚନା, ଶିକ୍ଷା ଓ ସଂଚାର ଅଭିଯାନକୁ ସଫଳ କରିବାପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବାସହ ଆଲୋଚନାର ସାରାଂଶ, ଚୂଡାନ୍ତୀକରଣ ଓ ପ୍ରଶ୍ନୋତ୍ତର ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଳାକାର, ସାହିତ୍ୟିକ, ନାଟ୍ୟକାର, ଗଣମାଧ୍ୟମପ୍ରତିନିଧି ଯୋଗ ଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ରଘୁନାଥ କୀର୍ତ୍ତନ୍ୟ ମଣ୍ଡଳୀ, ଗୌଡି ସମ୍ପ୍ରଦା ଦଳ ଓ ସାଥି, ଗୋବିନ୍ଦପୁର ସଂକୀର୍ତ୍ତନ୍ୟ ପରିବେଷଣ , ବସନ୍ତ ରାଜହଂସ ପୁରମୁଣ୍ଡା ଖାଲିଆପାଲି ଏବଂ ରଘୁନାଥ ମେହେର, ବାଉଁଶୁଣୀ, ଜଗତ ରାମ ଜଗଦଲା, ଗୁଡ଼ପଡା ବାଉଁଶୁଣୀ, କୃଷ୍ଣଚନ୍ଦ୍ର ମିଶ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସଂଗୀତ ଓ ଭଜନ ପରିବେଷଣ କରିଥିଲେ । ଅନୁଜା ବେହେରା, ବାଉଁଶୁଣି, ଅଭାଗିନୀ ବେହେରା, ଜଗତି ଏବଂ ସାଥି କୃଷ୍ଣଗୁରୁ ପରିବେଷଣ କରିଥିଲେ । ଗଣେଶ୍ୱର ନାଗ ଓ ସାଥି, ପୂର୍ଣ୍ଣମାସି ପାଲା ଦଳ ବ୍ରାହ୍ମଣି ପାଲା ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ରଞ୍ଜିତ ମହାନ୍ତି, ସାନନ୍ଦ ସାହୁ, ବ୍ଲକ ସଂସାଧାନ ସଭ୍ୟ ରଞ୍ଜନ ପାତ୍ର, କରୁଣାକର ବଗର୍ତ୍ତୀ, ସୌମିତ୍ରୀ ମାଟିଆ, ମାଧବ ରଣା, ଅଜିତ କୁମାର ସାହୁ, ରମାକାନ୍ତ ପ୍ରଧାନ ଘାସିରାମ ଝାଙ୍କର, ମନୋରଞ୍ଜନ ସାହୁ, ଜଗଦିଶ ପ୍ରଧାନ ଏବଂ ଜିତେନ୍ଦ୍ର କୁମାର ମହାନ୍ତି ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ କଳାକାର ମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଶେଷରେ ଡିଆଇପିଆରଓ ସୁଶ୍ରୀ ବଳିୟାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment