ଜିଲ୍ଲାସ୍ତରୀୟ ୬୭ ତମ ସମବାୟ ସପ୍ତାହ ପାଳିତ

ବୌଦ୍ଧ,୧୮/୧୧ – ବୌଦ୍ଧ ଜିଲ୍ଲା ସମବାୟ ସଂଘ ତରଫରୁ ୬୭ ତମ ନିଖିଳ ଭାରତ ସମବାୟ ସପ୍ତାହ ଆଜି ଗିରାସିଙ୍ଗାସ୍ଥିତ ଶ୍ରୀ ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସମବାୟ ସଂଘ ଆବାହକ ସତ୍ୟଜିତ କୁମାର ପଣ୍ଡାଙ୍କ ଆବାହକତ୍ୱରେ ଓ ସଭାପତି ବିଭୁ ପ୍ରସାଦ କ୍ଷେତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବୌଦ୍ଧ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଶ୍ରୀଯୁକ୍ତ ଭୀମସେନ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମବାୟ ସପ୍ତାହ ପାଳନର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ତିଲେଶ୍ୱର୍‌ ଓ ମୁଣ୍ଡିପଦର ସେବା ସମବାୟ ସମିତିର ପୂର୍ବତନ ସଭାପତି ସ୍ୱର୍ଗତ ଦୁଃଖିଶ୍ୟାମ ପ୍ରଧାନ ଓ ବ୍ରଜ ମୋହନ ବେହେରାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଥିଲା । ସେମାନଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସମବାୟ ଅନୁଷ୍ଠାନ ଗୁଡିକ ସୁଦୃଢ ହେଲେ ଚାଷୀ, ଶ୍ରମିକ ଓ ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ ବିକାଶ ହୋଇପାରିବ ବୋଲି ଶ୍ରୀ ସାହୁ କହିଥିଲେ । ସେହିପରି ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ଅବସରପ୍ରାପ୍ତ ଶାଖା ପରିଚାଳକ ପ୍ରତାପ କୁମାର୍‌ ସାହୁ, ନେତ୍ରାନନ୍ଦ ବାରିକ, ପୂର୍ଣ୍ଣଚନ୍ଦ୍ର ସାହୁ, ଦିଲ୍ଲୀପ କୁମାର୍‌ ପ୍ରଧାନ, ପବିତ୍ର ରାଉତ ପ୍ରମୁଖ ସମବାୟ ସଂସ୍ଥା ଗୁଡିକର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋକପାତ କରିଥିଲେ । ସପ୍ତାହ ପାଳନ ଉତ୍ସବରେ ବୌଦ୍ଧଜିଲ୍ଲାର ବିଭିନ୍ନ ସମବାୟ ସମିତିର ପୂର୍ବତନ ସଭାପତି, ସମ୍ପାଦକ ଓ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଶେଷରେ ପୟୋଧର ମହାକୁଳ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment